ଗୋପାଳପୁର,୧୮ା୧୧(ଡି.ଏନ.ଏ.): ଦୀପାବଳି ପୂର୍ବରୁ ଗୋଳନ୍ଥରା ଓ ଗୋଷାଣୀ ନୂଆଗାଁ ପୋଲିସ ପକ୍ଷରୁ ଜବତ ହୋଇଥିବା ଲକ୍ଷାଧିକ ଟଙ୍କାର ବାଣକୁ ଶୁକ୍ରବାର ନଷ୍ଟ କରିଦିଆଯାଇଛି।
ସୁମାଣ୍ଡିଠାରେ ବେଆଇନ ଭାବେ ଘରେ ବାଣ ବିକ୍ରି କରୁଥିବା ଖବର ପାଇ ଅକ୍ଟୋବର ୨୨ରେ ଗୋଳନ୍ଥରା ଥାନା ପୋଲିସ ଚଢ଼ାଉ କରାଯାଇଥିଲା। ସେଠାରୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ କରିବା ସହ ଦୁଇଜଣଙ୍କୁ କାବୁ କରିଥିଲା। ଏନେଇ ପୋଲିସ ଏକ ମାମଲା(ନଂ. ୩୮୬/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଉକ୍ତ ବାଣକୁ ନଷ୍ଟ କରିବା ପାଇଁ ଡେପୁଟି ଚିଫ୍ କଣ୍ଟ୍ରୋଲୋର ଏକ୍ସପୋଜିଭ୍ କାର୍ଯ୍ୟାଳୟକୁ ପୋଲିସ ପକ୍ଷରୁ ଚିଠି କରାଯାଇଥିଲା। ଶୁକ୍ରବାର କାର୍ଯ୍ୟାଳୟର ଅଧିକାରୀମାନେ ଗୋଳନ୍ଥରା ଥାନାରେ ପହଞ୍ଚି ଥିଲେ। ଉକ୍ତ ବାଣକୁ ପାଲୁରହିଲ ସ୍ଥିତ ଏକ ନିଛାଟିଆ ସ୍ଥାନରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ଉପସ୍ଥିତିରେ ନିଆଁ ଲଗାଇ ନଷ୍ଟ କରାଯାଇଥିଲା। ଏଥିସହ ଗୋଷାଣୀ ନୂଆଗାଁ ଥାନା ପକ୍ଷରୁ ଦୁଇଟି ମାମଲାରେ ଜବତ ହୋଇଥିବା ବାଣକୁ ମଧ୍ୟ ସେଠାରେ ନଷ୍ଟ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।