ଶିମିଳିପାଳ ସୁରକ୍ଷା ନେଇ ପୋଲିସ ଡିଜିଙ୍କ ସମୀକ୍ଷା, ୧୬୫ଟି ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଜବତ

  1. ବାରିପଦା,୯।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ) କ୍ଲିନ ଶିମିଳିପାଳ ଅପରେଶନ ସମ୍ପର୍କରେ ବୁଧବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡିଜି ସୁନୀଲ କୁମାର ବଂସାଲ ସମୀକ୍ଷା କରିଛନ୍ତି । ମୟୂରଭଞ୍ଜ ଜିଲା ଗସ୍ତରେ ଆସି ସେ ପୂର୍ବାହ୍ନ ୧୦ଟାରେ ଜିଲା ପୋଲିସ ମୁଖ୍ୟାଳୟରେ ପୋଲିସ ଓ ବନବିଭାଗର ମିଳିତ ସମୀକ୍ଷା କରିଛନ୍ତି । ତାଙ୍କ ସହିତ ପୋଲିସ ଏଡିଜି ସଞ୍ଜୟ କୁମାର, ପୂର୍ବାଞ୍ଚଳ ଆଇଜି ହିମାଂଶୁଲାଲ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡ. ପ୍ରକାଶ ଚନ୍ଦ୍ର ଗୋଗିନେନୀ, ଏସପି ବି. ଗଙ୍ଗାଧର, ଉପନିର୍ଦେଶକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦୁଇ ଉପନିର୍ଦେଶକ, ସମସ୍ତ ବନଖଣ୍ଡ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ପୋଲିସ ଅଧିକାରୀ, ଥାନାଧିକାରୀ ଯୋଗଦେଇଥିଲେ ।

ଶିମିଳିପାଳ ଅଭୟାରଣ୍ୟରେ ୨ବନ କର୍ମଚାରୀଙ୍କ ହତ୍ୟା ପରେ ଜୁନ ୧୮ ତାରିଖରୁ ପୋଲିସ ପକ୍ଷରୁ ଶିମିଳିପାଳକୁ ଶିକାର ଓ ଶିକାରୀ ମୁକ୍ତ ପାଇଁ ୯ ଥାନା ଅଧୀନସ୍ଥ ଜଙ୍ଗଲ ସଂଲଗ୍ନ ଗ୍ରାମ ମାନଙ୍କରେ ଅସ୍ତ୍ରଶସ୍ତ୍ର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ୪ପ୍ଲାଟୁନ ପୋଲିସ ଫୋର୍ସ ସହିତ ଥାନା କର୍ମଚାରୀ ଏଥିରେ ସାମିଲ ଥିଲେ । ସେହିପରି ଶିମିଳିପାଳ ସଂଲଗ୍ନ ୧୨ଟି ଥାନାରେ ଦେଶୀ ବନ୍ଧୁକ ଆତ୍ମ ସମର୍ପଣ ଅଭିଯାନ ଆରମ୍ଭ କରାଯାଇ ବ୍ୟାପକ ଜନସେଚତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସମୟରେ ୪୦ଟି ମାମଲା ରୁଜୁ ସହିତ ୧୬୫ଟି ବନ୍ଧୁକ, ଗୁଳି, ଗୋଟିଏ ବନ୍ଧୁକ ତିଆରି କାରଖାନା, ବଜ୍ରକାପ୍ତା ଛାଲ, ନଗଦ ୨ଲକ୍ଷ ୯୫ହଜାର ଟଙ୍କା, ମୋବାଇଲ ଫୋନ, ବନ୍ୟପ୍ରାଣୀ ମୃତଦେହ, ମାଂସ ଆଦି ଜବତ କରାଯିବା ସହିତ ୨୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସମସ୍ତ ଜବତ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଓ ବନ୍ୟପ୍ରାଣୀ ଜୀବାଂଶ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶିତ ହୋଇଥିଲା । ମୟୂରଭଞ୍ଜ ପୋଲିସ ଏହି ସଫଳତାକୁ ପ୍ରଶଂସା କରିଥିଲା । ପୂର୍ବରୁ ଏଭଳି କୌଣସି ସଫଳତା ମିଳି ନ ଥିଲା । ଆଗକୁ ବନବିଭାଗ ସହ ଗଠିତ ଜଏଣ୍ଟ ଟାସ୍କଫୋର୍ସ ଶିମିପାଳକୁ ସୁରକ୍ଷା ଦେବା ପାଇଁ ଆହୁରି ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ବଂଶାଲ କହିଥିଲେ । ଶିମିଳିପାଳ କେବଳ ମୟୂରଭଞ୍ଜର ନୁହେଁ ଏହା ଓଡିଶାର । ଏହାପରେ ସେ ନବ ନିର୍ମିତ ୨ଟି ଡି-ଟାଇପ କ୍ୱାଟର ଉଦଘାଟନ କରିଥିଲେ । ଡିଜି ମଙ୍ଗଳବାର ଅପରାହ୍ନରେ ବାରିପଦାରେ ପହଞ୍ଚିଥିଲେ। ସର୍କିଟ ହାଉସରେ ରହଣୀ ଭିତରେ ଜିଲାର ଆଇନଶୃଙ୍ଖଳା ପରିସ୍ଥିିତି, ଆନ୍ତଃରାଜ୍ୟ ଅପରାଧ ନିୟନ୍ତ୍ରଣ ଓ ବିଶେଷ କରି ଶିମିଳିପାଳକୁ ଶିକାର ଓ ଶିକାରମୁକ୍ତ ପାଇଁ ଗ୍ରହଣ କରାଯାଇଥିବା ଓ କରାଯିବାକୁ ଥିବା ପଦକ୍ଷେପ ସମ୍ବନ୍ଧରେ ଏଡିଜି, ଆଇଜି ଓ ଏସପି ଆଲୋଚନା କରିଥିଲେ ।