ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର ଭୀମ୍‌ସାରରେ ଭର୍ତ୍ତି କରାଯାଇଛି। କନଷ୍ଟେବଳ ସରୋଜ ପ୍ରଧାନଙ୍କୁ ଆକ୍ରମଣକରି ପାପୁଲି ଛିଣ୍ଡାଇଥିବା କମଲୁଙ୍କୁ ଧରିବା ପାଇଁ ବୁର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଏହି ସମୟରେ କମଲୁ ଆମସଢ଼ା କଣ୍ଟାପାଲି ଜଙ୍ଗଲରେ ଲୁଚିଥିବା ପୋଲିସକୁ ଖବର ମିଳିଥିଲା। ଖବରପାଇ ବୁର୍ଲା ଥାନା ଅଧିକାରୀ ଅନିଲ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଦଳ ଅଭିଯୁକ୍ତ କମଲୁ ପ୍ରଧାନଙ୍କୁ ଧରିବା ପାଇଁ ଉକ୍ତ ଜଙ୍ଗଲରେ ଚଢ଼ାଉ କରିଥିଲା। ଏହାଦେଖି କମଲୁ ପୋଲିସକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ପୁଣି ଜଙ୍ଗଲ ମଧ୍ୟରେ ଲୁଚି ଯାଇଥିଲେ। କମଲୁଙ୍କ ଆକ୍ରମଣରେ ବୁର୍ଲା ଥାନାର ପୋଲିସ ଏସ୍‌ଆଇ ଦେବାଶିଷ ଖିଲାର ଗୁରୁତର ହୋଇଛନ୍ତି। ତେବେ ପୋଲିସ ତାଙ୍କୁ ଆତ୍ମସମର୍ପଣ ପାଇଁ ବାରମ୍ବାର ଆହ୍ବାନ ଦେଇଥିଲା। ମାତ୍ର କମଲୁ ଏହାକୁ କର୍ଣ୍ଣପାତ କରି ନ ଥିଲେ। ଫଳରେ ପୋଲିସ ବାଧ୍ୟ ହୋଇ ଜଙ୍ଗଲ ଭିତରେ ତାଙ୍କୁ ଏନ୍‌କାଉଣ୍ଟର କରିଥିଲା। ଫଳରେ ପୋଲିସର ଗୁଳି ତାଙ୍କ ଗୋଡ଼ରେ ବାଜିଥିଲା। ସେଠାରୁ କମଲୁଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା। ପରେ ଉଭୟ କମଲୁ ଓ ଏସ୍‌ଆଇ ଖିଲାରଙ୍କୁ ଗୁରୁତର ଅବସ୍ଥାରେ ଭୀମ୍‌ସାରରେ ଭର୍ତ୍ତି କରିଛି ପୋଲିସ। ବର୍ତ୍ତମାନ ଉଭୟ ବିପଦମୁକ୍ତ ଥିବା ପୋଲିସ କହିଛି।

ସୂଚନାଯୋଗ୍ୟ, ଗତ ୪ ତାରିଖରେ ଝରାପାଲି ଗ୍ରାମର ଏକ ପାରିବାରିକ କଳହର ସମାଧାନ ପାଇଁ ବୁର୍ଲା ଥାନାର କନଷ୍ଟେବଳ ସରୋଜ ପ୍ରଧାନ ଯାଇଥିଲେ। ଏହି ସମୟରେ କମଲୁଙ୍କ ଆକ୍ରମଣରେ ସରୋଜଙ୍କ ହାତ ପାପୁଲି କଟିଯାଇଥିଲା ବର୍ତ୍ତମାନ ସରୋଜ କଟକରେ ଚିକିତ୍ସିତ ହେଉଛନ୍ତି।

Share