ମାସେ ବିତିଲା ବଳାତ୍କାରୀଙ୍କୁ ଧରିବାରେ ପୋଲିସ ବିଫଳ

ରାଜନଗର,୧୫ା୭ (ଭାସ୍କର ରାଉତରାୟ): ଶୁକ୍ରବାରକୁ ଠିକ୍‌ ଏକମାସ ତଳେ ପହିଲି ରଜରେ ୮୦ ବର୍ଷିୟା ବୃଦ୍ଧାଙ୍କୁ ଝିଅ ଘରେ ଛାଡ଼ି ଦେବାକୁ ବାହାନା ଦେଖାଇ ବାଇକ୍‌ରେ ଦୁର୍ବୃତ୍ତ ନେଇଥିଲେ। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ମଦନପୁର କଟ ଭିତରେ ଦୁର୍ବୃତ୍ତ ଜଣକ ବୃଦ୍ଧାଙ୍କୁ ବଳାତ୍କାର କରି ଫେରାର ହୋଇଯାଇଥିଲେ। ହେଲେ ପୋଲିସ ଏ ପର୍ଯ୍ୟନ୍ତ ବଳାତ୍କାରୀଙ୍କୁ ଧରିବାରେ ବିଫଳ ହୋଇଛି। ଏହା ଭିତରେ ତଦନ୍ତ ଦାୟିତ୍ୱରେ ଥିବା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଦୀର୍ଘ ମାସେ ଧରି ତଦନ୍ତ ଦାୟିତ୍ୱରେ ଥିବା ଥାନା ଅଧିକାରୀ ବିଶ୍ୱାଳଙ୍କୁ କାହିଁକି ଏବଂ କେଉଁ ପରିସ୍ଥିତିରେ ବଦଳି କରାଗଲା, ଏହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ମାସେ ଧରି ପ୍ରକୃତ ଦୋଷୀକୁ ଧରିବାରେ ଥାନା ଅଧିକାରୀ ବିଶ୍ୱାଳଙ୍କ ଯୋଜନା କେତେ ସଫଳ ହୋଇଛି, ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ବଦଳି କରି ଦିଆଯାଇଛି। ଫଳରେ ୮୦ ବର୍ଷିୟା ବୃଦ୍ଧା ଯେ ଆଉ ନ୍ୟାୟ ପାଇବେ କି ନାହିଁ ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି। ବଦଳି ହୋଇଥିବା ଥାନାଧିକାରୀ ବିଶ୍ୱାଳ ପ୍ରକୃତ ବଳାତ୍କାରୀଙ୍କୁ ଧରିବାରେ ଯେଉଁ ଯୋଜନା କରିଥିଲେ, ତାଙ୍କ ବଦଳି ପରେ ଅନ୍ୟ ଯେଉଁ ଅଧିକାରୀ ଦାୟିତ୍ୱ ନେବେ ତଦନ୍ତ କ୍ଷେତ୍ରରେ ସେମାନଙ୍କ ଦାୟିତ୍ୱ ଓ ସ୍ବଚ୍ଛତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି।
ପହିଲି ରଜରେ ଗଁାଠାରୁ ସହର ସବୁଠି ପର୍ବ ପାଳନ କରିବା ପାଇଁ ଉତ୍ସବ ମୁଖର ହୋଇ ପଡୁଥିବା ବେଳେ ଝିଅ ଘରକୁ ଧାର ଉଦ୍ଧାର କରି ରଜ ଭାର ନେଇ ସକାଳୁ ଖୁସିରେ ବାହାରି ପଡ଼ିଥିବା ବୃଦ୍ଧା ୧୫ ମିନିଟ ଭିତରେ ଝିଅ ଘରେ ପହଞ୍ଚତ୍ ଥାନ୍ତେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଥିଲା ନିଆରା। ବଳକତ୍ାରୀଙ୍କ କବଳରେ ଫସି ଯାଇଥିଲେ ବୃଦ୍ଧା। ବୃଦ୍ଧାଙ୍କୁ ନ୍ୟାୟ ଦେବାକୁ ଜୁନ୍‌ ୧୫ ତାରିଖରେ ତାଙ୍କ ଝିଅ ଏବଂ ବରିଷ୍ଠ ଆଇନଜୀବୀ ଶିବ ପ୍ରସାଦ ସାମନ୍ତରାୟ ଲିଖିତ ଭାବେ ଥାନାରେ ଅଭିଯୋଗ କରିଥିଲେ। ୧୬ ତାରିଖରେ ସ୍ଥାନୀୟ ଶକ୍ତିସ୍ବରୂପା ମହିଳା ମହାସଂଘ ପକ୍ଷରୁ ବଳାତ୍କାର ଶିକାର ବୃଦ୍ଧାଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ। ୧୭ ତାରିଖରେ ପୋଲିସ ସନ୍ଦେହରେ ଧରି ଆଣିଥିବା ଯୁବକଙ୍କୁ ଅଟକ ରଖି ତଦନ୍ତ କରିଥିଲା। ଦେଖଣାହାରୀ ଏବଂ ନିଜେ ପୀଡିତା ଅଟକ ଯୁବକଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ତଦନ୍ତର ବିଭିନ୍ନ ଦିଗକୁ ଆଧାର କରି ପୋଲିସ ଯୁବକଙ୍କୁ ଛାଡ଼ି ଦେଇଥିଲା। ଗତ ମଙ୍ଗଳବାର ପୁଣି ମହିଳା ମହାସଂଘ ପକ୍ଷରୁ ଥାନା ଘେରାଉ ସହ ରାସ୍ତାରୋକୋ କରାଯାଇ ପ୍ରତିବାଦ ସ୍ବରକୁ ଶାଣିତ କରିଥିଲେ। ୭ ଦିନ ମଧ୍ୟରେ ପୋଲିସ ପ୍ରକୃତ ଦୋଷୀଙ୍କୁ ଧରିବାରେ ଯଦି ବିଫଳ ହୁଏ, ମହିଳା ମହାସଂଘ ଆଇନକୁ ହାତକୁ ନେବ ବୋଲି ଚେତାବନୀ ଦେଇଛନ୍ତି।

Share