Categories: ଜାତୀୟ

ପଟିଆଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ପଟିଆଲା(ପଞ୍ଜାବ),୨୯।୪: ଶିବସେନା କର୍ମକର୍ତ୍ତା ଶୁକ୍ରବାର ଖଲିସ୍ତାନ ବିରୋଧରେ ଏକ ଶୋଭାଯାତ୍ରା ବାହାର କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଶିବସେନା କର୍ମକର୍ତ୍ତା ଓ ଖଲିସ୍ତାନ ସମର୍ଥକ ପଟିଆଲାରେ ମୁହାଁମୁହିଁ ହୋଇ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ବ୍ଲାଙ୍କ ଫାୟାରିଂ କରିବାକୁ ପଡ଼ିଥିଲା। ଏହି ଘଟଣାରେ କିଛି ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ପୋଲିସ ଉଭୟ ପକ୍ଷଙ୍କୁ ବୁଝାଶୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଛି। ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷା ଫୋର୍ସ ମୁତୟନ କରାଯାଇଛି।

ପଟିଆଲାରେ ସଂଘର୍ଷ ଘଟଣାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ପୋଲିସର ହସ୍ତକ୍ଷେପ ପରେ ଅଞ୍ଚଳରେ ଶାନ୍ତି ଫେରି ଆସିଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବାକୁ ଦିଆଯିବ ନାହିଁ। ପଞ୍ଜାବର ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଭଗଓ୍ବନ୍ତ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Share