ଇସ୍ଲାମାବାଦ,୧୧ା୫: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଟିକସ ବୃଦ୍ଧି, ବିଦ୍ୟୁତ୍ ଅଭାବ ଏବଂ ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ଜୋର୍ଦାର ହୋଇଛି। ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ ଓ ଅର୍ଦ୍ଧସାମରିକ ବଳ ଏକେ-୪୭ରୁ ଗୁଳି ଚଳାଉଥିବା ଜଣାପଡ଼ିଛିି।
ପିଓକେରେ ସୁରକ୍ଷା ବଳର ଦମନ ଲୀଳା ନୂଆ ନୁହେଁ। ଶନିବାର ହଜାର ହଜାର ବିକ୍ଷୋଭକାରୀ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରିଥିବାବେଳେ ପୋଲିସର ଦମନଲୀଳା ଆରମ୍ଭ ହୋଇଥିଲା। ପାକିସ୍ତାନୀ ରେଞ୍ଜର ଏବଂ ପୋଲିସ ପକ୍ଷରୁ ଲୁହବୁହା ବାଷ୍ପ ଛଡ଼ାଯିବା ସହ ଗୁଳିମାଡ଼ କରାଯାଇଥିଲା। ଏଥିରେ ୨ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି।
ପୋଲିସ ଏକେ-୪୭ରୁ ଫାଙ୍କା ଗୁଳିଚାଳନା ସହ ଲୋକଙ୍କ ଉପରକୁ ଗୁଳି ଚଳାଉଥିବା ଭିଡିଓରୁ ଦେଖିବାକୁ ମିଳିଛି। ଗୁଳିମାଡ଼ରେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ପିଓକେରେ ଉତ୍ପାଦିତ ବିଦ୍ୟୁତ୍କୁ ଅନ୍ୟ ବୃହତ୍ ସହରଗୁଡ଼ିକୁ ଯୋଗାଇଦିଆଯାଉଥିବାବେଳେ ସ୍ଥାନୀୟ ଲୋକେ ବିଜୁଳି ଅଭାବ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିଲେ।