ଟାପରାଙ୍ଗ ଗାଁରେ ମାଓବାଦୀ ପୋଲିସ ଗୁଳି ବିନିମୟ ଘଟଣା: ପୋଷ୍ଟର ଲଗାଇ ପୁଣି ଉପସ୍ଥିତ ଜାହିର କଲେ ଲାଲବାହିନୀ

ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଅନ୍ତର୍ଗତ ମାଣିକେରା ପଞ୍ଚାୟତର ଟାପରାଙ୍ଗ ଗାଁରେ ଗତ ମେ ୯ ତାରିଖ ସକାଳୁ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ଦେଢ଼ ମାସ ପରେ ପୁଣି ଉକ୍ତ ଗାଁରେ ମାଓବାଦୀ ପୋଷ୍ଟର ଲଗାଇ ଲାଲ ବାହିନୀ ନିଜ ଉପସ୍ଥିତି ଜାହିର କରିଛନ୍ତି । ଶନିବାର ସକାଳୁ ଗ୍ରାମର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ମାଓବାଦୀ ସଂଗଠନ ଏହି ହତ୍ୟାକୁ ଅମାନବୀୟ କହିବା ସହ ପୋଲିସର ବର୍ବରତାକୁ ନିନ୍ଦା କରିଛି। କ୍ରୁରତାକୁ ଲୁଚାଇ ଏନକାଉଣ୍ଟରର ରୂପ ଦେଇ ଖବର ପରିବେଷଣ କରିଥିବା ଗଣମାଧ୍ୟମ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ମାଓବାଦୀ ସଂଗଠନ। ଏହି ଗୁଳି କାଣ୍ଡରେ ନିହତ ମାଓବାଦୀଙ୍କ ଫଟୋ ସହ ସେମାନଙ୍କ ସଂକ୍ଷିପ୍ତ ବିବରଣୀ ପୋଷ୍ଟର ଗୁଡିକରେ ଉଲ୍ଲେଖ ରହିଛି । ନିହତ ୩ ମାଓବାଦୀ ଲଳିତ, ରିତୁ ଓ ସନ୍ଦେଶ ରହିଥିବା ବେଳେ ସମସ୍ତଙ୍କ ମାଓବାଦୀ ସଂଗଠନରେ ଭୂମିକା ସମ୍ପର୍କରେ ତଥ୍ୟ ଉଲ୍ଲେଖ ରହିଛି। ଲଳିତ ପ୍ରଥମ ପତ୍ନୀ ନମିତା ମୃତ୍ୟୁର ୨ ବର୍ଷ ପରେ ଟାପରାଙ୍ଗ ଗାଁରେ ନିହତ ହେବାର ଏକ ସପ୍ତାହ ପୂର୍ବରୁ ଦ୍ୱିତୀୟ ବିବାହ କରିଥିବା ଏହି ପୋଷ୍ଟରରେ ଲେଖା ହୋଇଛି । ଏଥି ସହିତ ଜୁନ ୨୫ ତାରିଖ ବନ୍ଦକୁ ସଫଳ କରିବା ପାଇଁ ପୋଷ୍ଟରରେ ଆହ୍ବାନ କରିଛି । ଶୁକ୍ରବାର ରାତି ରେ ଉକ୍ତ ଅଞ୍ଚଳରେ ବର୍ଷା କାରଣରୁ ପୋଷ୍ଟରର କିଛି ଲେଖା ଲିଭି ଯାଇଥିଲେ ମଧ୍ୟ ମାଓବାଦୀଙ୍କ ପୁଣି ଉପସ୍ଥିତି କୁ ନେଇ ଅଞ୍ଚଳ ବାସୀଙ୍କ ମନରେ ପୁଣି ଥରେ ଭୟ ସଞ୍ଚାର ହୋଇଥିବା ଜଣାପଡିଛି।

Share