ମାଥିଲି, ୧।୧୦(ଡି.ଏନ.ଏ.) : ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ଶୁକ୍ରବାର ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ ଥାନା ପରିସରରୁ ବାହାରି ହସ୍ପିଟାଲ ଯାଏ ଯାଇଥିଲା। ପୋଲିସର ସମସ୍ତ କର୍ମଚାରୀଙ୍କ ସମେତ ଆଇଆରବି ଯବାନମାନେ ଏଥିରେ ସାମିଲ ହୋଇଥିଲେ। ଆସନ୍ତା ଦଶହରାରେ କିପରି ମାଥିଲି ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ତାହାକୁ ଦୃଷ୍ଟିରେ ରଖି ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଫ୍ଲାଗ ମାର୍ଚ୍ଚକୁ ମାଥିଲି ଦଶହରା ପୂଜା କମିଟିର ସଦସ୍ୟମାନେ ସ୍ବାଗତ କରିବା ସହ ମାଥିଲିରେ ଦଶହରା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଉଦ୍ୟମ ହେଉଥିବା ପୋଲିସ ଅଧିକାରୀଙ୍କୁ ଜଣାଇଥିଲେ। ମାଥିଲି ପରେ ଗୋବିନ୍ଦପାଲିରେ ମଧ୍ୟ ଅନୁରୂପ ଭାବେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ଏଠାରେ ବଜାର ଛକରୁ ପୋଲିସ ଚେକଗେଟ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିବା ଆଇଆଇସି ନାୟକ ପ୍ରକାଶ କରିଛନ୍ତି।