ଛତ୍ରପୁର,୧।୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଛତ୍ରପୁର ପୋଲିସ ପଡ଼ିଆଠାରେ ମଙ୍ଗଳବାର ଗଞ୍ଜାମ ଜିଲାସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସ୍ପି ଶୁଭେନ୍ଦୁ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ପୋଲିସ ବାହିନୀକୁ ଉଦ୍ବୋଧନ ଦେଇ ଏସ୍ପି କହିଥିଲେ, ଆଜିର ଦିବସ ଓଡ଼ିଶା ପୋଲିସ ପାଇଁ ଗର୍ବ ଏବଂ ଗୌରବର ଦିବସ। ଜନସାଧାରଣଙ୍କ ସେବା ମନୋଭାବ ନେଇ ପୋଲିସ ବାହିନୀ ନିଜକୁ ଉତ୍ସର୍ଗ କରିବା ଉଚିତ। ଏହି ସଙ୍କଳ୍ପ ହିଁ ଶହୀଦଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ।
ପୋଲିସ ଆଇନଶୃଙ୍ଖଳା ରକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ କରିଆସୁଛି। ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ପୋଲିସ ପ୍ରଥମ ଧର୍ମ ବୋଲି ଏସ୍ପି କହିଥିଲେ। ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଏସ୍ପି ପଠନ କରିଥିଲେ। ସମାରୋହରେ ରିଜର୍ଭ ଇନ୍ସପେକ୍ଟର ଅମୁଲ୍ୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ପରେଡ ପରିଚାଳନା କରାଯାଇଥିଲା।
କର୍ତ୍ତବ୍ୟନିଷ୍ଠା ଓ ସାହସିକତା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ କରିଥିବା ଗଞ୍ଜାମ ଜିଲା ପୋଲିସର ୫ଜଣ ପୋଲିସ କର୍ମଚାରୀଙ୍କୁ ଏସ୍ପି ସମ୍ମାନିତ କରି ପୁରସ୍କୃତ କରିଥିଲେ। ସେମାନେ ହେଲେ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ, ଏଏସ୍ଆଇ ସୁମନ୍ତ କୁମାର ବେହେରା, ହାବିଲଦାର ବି. କାମରାଜୁ ଦୋରା, ଏପିଆର କନେଷ୍ଟବଳ ଟୁନା ମଲିକ ଓ କନେଷ୍ଟବଳ ଦିଲୀପ କୁମାର ବେହେରା। କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍ପି ଚିନ୍ମୟ କୁମାର ନାୟକ, ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ। ସମ୍ପାଦକ ସୁବାସ ସେଠୀଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।