ସାଇବର ଠକେଇ ରୋକିବାରେ ପୋଲିସ ବିଫଳ: ୨ମାସରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ

ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ ସାଇବର ଠକେଇ ରୋକିବାରେ ରାଜ୍ୟ ପୋଲିସ ବିଫଳ ହୋଇଛି। କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ସାଇବର ଠକମାନେ ସକ୍ରିୟ ହୋଇଉଠିଛନ୍ତି। ତଦନ୍ତରେ ବୈଷୟିକ ଜ୍ଞାନକୌଶଳର ଅଭାବ ଓ ଲୋକଙ୍କ ଅସଚେତନତାର ଫାଇଦା ଉଠାଉଛନ୍ତି ସେମାନେ। ୨ ମାସରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଲେଣି ସାଇବର ଠକ। ଭୁବନେଶ୍ୱର କମିଶନରେଟ ପୋଲିସ ସାଇବର ହେଲ୍ପ ଡେସ୍କ ରିପୋର୍ଟ କାର୍ଡରୁ ଏହା ଜଣାପଡିଛି।
ରିପୋର୍ଟ ଅନୁଯାୟୀ ୨୦୨୧ ଫେବୃୟାରୀ ଓ ମାର୍ଚ୍ଚ ଦୁଇ ମାସରେ ୨ କୋଟି ୪ ଲକ୍ଷ ୭୮ ହଜାର ଟଙ୍କାର ଠକେଇ ହୋଇଛି। ଫେବୃୟାରୀରେ ୧କୋଟି ୨୦ ଲକ୍ଷ ଓ ମାର୍ଚ୍ଚରେ ୮୪ଲକ୍ଷ ୭୮ ହଜାର ଟଙ୍କା ରହିଛି। ସେହିପରି ଏହି ୨ମାସରେ ସାଇବର ହେଲ୍ପ ଡେସ୍କକୁ ୧୪୧୩ କଲ୍‌ ଆସିଛି। ଫେବୃୟାରୀରେ ୭୮୪ ଓ ମାର୍ଚ୍ଚରେ ୬୨୯ ଅଭିଯୋଗ ରହିଛି। ଏଥିମଧ୍ୟରୁ ଭୁବନେଶ୍ୱରରୁ ୬୩୨ ଫୋନ୍‌ କଲ୍‌ ଓ ରାଜ୍ୟର ଅନ୍ୟ ସ୍ଥାନରୁ ୭୮୧ଟି କଲ୍‌ କରାଯାଇଛି। ପୋଲିସ ପକ୍ଷରୁ ୨୯ଟି ମାମଲା ରୁଜୁ କରିଥିଲେ ମଧ୍ୟ କାହାକୁ ଗିରଫ କରାଯାଇନି। ତେବେ ସାଇବର ଠକମାନେ ୟୁପିଆଇ ଆଇଡି ମାଧ୍ୟମରେ ସର୍ବାଧିକ ଠକେଇ କରିଛନ୍ତି। ଏହି ସମୟ ମଧ୍ୟରେ ପ୍ରାୟ ୨୯୫ଜଣ ୟୁପିଆଇ ଠକେଇର ଶିକାର ହୋଇଛନ୍ତି। ଏଥିସହିତ କ୍ରେଡିଟ୍‌ କାର୍ଡ କିମ୍ବା ଡେବିଟ୍‌ କାର୍ଡରେ ୧୧୫ ଓ ଅନ୍ୟ କଲ୍‌ ତଥା ଲଟେରି, ଟିଭି ଓ ମୋବାଇଲ ରିଚାର୍ଜ, ଆଧାରକାର୍ଡ ଅପଡେଟ୍‌ ଆଦି ବାହାନାରେ ୫୪୪ଟି ଠକେଇ କରିଛନ୍ତି। ତେବେ ସାଇବର ହେଲ୍ପ ଡେସ୍କ ପକ୍ଷରୁ ସାଇବର ଠକଙ୍କ ନିକଟରୁ ୯ ଲକ୍ଷ ୩୯ହଜାର ୪୯୪ ଟଙ୍କା ଫେରସ୍ତ ଅଣାଯାଇପାରିଛି। ଫେବୃୟାରୀରେ ସର୍ବାଧିକ ୬ ଲକ୍ଷ ୮୫ ହଜାର ୮୪୭ ଟଙ୍କା ଓ ମାର୍ଚ୍ଚରେ ୨ଲକ୍ଷ ୫୩ହଜାର ୬୪୭ଟଙ୍କା ଫେରସ୍ତ ଅଣାଯାଇ ଠକେଇର ଶିକାର ହୋଇଥିବା ଲୋକଙ୍କୁ ଦିଆଯାଇଛି।

Share