ଅସାମାଜିକଙ୍କୁ ଉଠାଇନେବାକୁ ଚିଠା

ଅନୁଗୋଳ ଅଫିସ, ୨୯ା୮: ପାର୍ବଣରେ ଗହଳି ହେବ। ସହରରେ ସହସ୍ରାଧିକ ଲୋକଙ୍କ ଭିଡ଼ ଜମିବ। ଆଉ ଏହାକୁ ସୁଯୋଗ ଭାବେ ନେଇ ଅସାମାଜିକମାନେ ସକ୍ରିୟ ହୋଇପଡ଼ିବେ। ଫଳରେ ଆପରାଧିକ କାର୍ଯ୍ୟକଳାପ ବଢ଼ିଯିବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ଅନୁଗୋଳ ଜିଲା ପୋଲିସ ପ୍ରଶାସନ ସତର୍କ ହୋଇଉଠିଛି। ଜିଲାର ୨୩ଟି ଥାନା ଅଞ୍ଚଳରେ ଯାନବାହାନ ଯାଞ୍ଚ ଆରମ୍ଭ ହୋଇଛି। ଆପରାଧିକ କାର୍ଯ୍ୟରେ ଜଡ଼ିତ ରହୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖାଯାଇଛି। ଏପରି କି ଶହେରୁ ଅଧିକ ଆସାମାଜିକଙ୍କୁ ଉଠାଇବାକୁ ପୋଲିସ ଚିଠା ପ୍ରସ୍ତୁତ କରିଥିବା ସୂଚନା ମିଳିଛି।
ଦିନଟିଏ ପରେ ଗଣେଶ ପୂଜା। ସହରରେ ପାର୍ବଣର ପରିବେଶ ସୃଷ୍ଟି ହୋଇସାରିଛି। ହେଲେ ଜିଲାରେ କିଛିଦିନ ହେଲା ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଚୋରି, ଡକାୟତି, ଲୁଟ୍‌ ଆଦି ଘଟଣା ଜିଲା ପୋଲିସର ନିଦ ହଜାଇ ଦେଇଛି। ସେହିପରି ନିଶା ସାମଗ୍ରୀ କାରବାର ବୃଦ୍ଧି ପାଉଛି। ବିଶେଷକରି ବ୍ରାଉନସୁଗାର କାରବାର ଏବେ ସହର ଠାରୁ ଆରମ୍ଭ କରି ଗଁା ଯାଏ ପହଞ୍ଚିଲାଣି। ଏହାଛଡ଼ା ଚୋରା ମଦ, ଗଞ୍ଜେଇ ବିକ୍ରିକୁ ରୋକାଯାଇ ପାରୁ ନାହିଁ। ତେଣୁ ପାର୍ବଣ ବେଳେ ଆଇନଶୃଙ୍ଖଳାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲାର ସମସ୍ତ ଥାନା ଅଞ୍ଚଳରେ ନାକା ଲଗାଯାଇଛି। ଯାତାୟାତ କରୁଥିବା ଯାନବାହନ ଗୁଡ଼ିକୁ ଯାଞ୍ଚ କରାଯାଉଛି। ଜିଲାର ପ୍ରବେଶ ପଥ ସହ ଅନୁଗୋଳ ସହରରେ ତନଖି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ଅନୁଗୋଳ ଜିଲାରେ ବିଭିନ୍ନ ସମୟରେ ଆପରାଧିକ କାର୍ଯ୍ୟରେ ଜଡ଼ିତ ରହୁଥିବା ପୁରୁଣା ଅପରାଧୀମାନଙ୍କୁ ଚିହ୍ନଟ କରାଯାଇଛି। ପାର୍ବଣ ସମୟରେ ସେମାନେ ଯେପରି ସକ୍ରିୟ ହୋଇ ନ ପାରିବେ ସେଥିପାଇଁ ସେମାନଙ୍କ ବିରୋଧରେ ୱାରେଣ୍ଟ ବାହାର କରାଯାଇଛି। ନିକଟରେ କୋର୍ଟରୁ ବେଲ୍‌ ପାଇଥିବା ଆସାମାଜିକଙ୍କ ଉପରେ ମଧ୍ୟ ଦୃଷ୍ଟି ରଖାଯାଇଛି। ଜିଲାରେ ଥିବା ୨୩ଟି ଥାନାର ଥାନା ଅଧିକାରୀ ଏକ ସ୍ପେଶାଲ ଡ୍ରାଇଭ୍‌ କରି ପୁରୁଣା ଦାଗୀମାନଙ୍କୁ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଶହେରୁ ଊର୍ଦ୍ଧ୍ୱ ପୁରୁଣା ଦାଗୀଙ୍କ ଚିଠା ପ୍ରସ୍ତୁତ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥିସହ ପାର୍ବଣ ସମୟରେ ଏକ ସ୍ପେଶାଲ ଟିମ୍‌ କରାଯାଇ ପୂଜାରେ ଯେଭଳି ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି କଡ଼ା ନଜର ରଖାଯିବ ବୋଲି ଏସ୍‌ପି ଜଗମୋହନ ମୀନା ପ୍ରକାଶ କରିଛନ୍ତି।