Categories: ଜାତୀୟ

ରାତିରେ ବୁଲୁଥିବା ଲୋକଙ୍କୁ ପଚରାଉଚରା କରିବା ପୋଲିସର ଅଧିକାର: ହାଇକୋର୍ଟ…

ମୁମ୍ବାଇ, ୨୮।୩ : ଯେଉଁମାନେ ରାତିରେ ବୁଲାବୁଲି କରିଥାନ୍ତି ସେମାନଙ୍କୁ ପଚରାଉଚରା କରିବା ପୋଲିସର ଅଧିକାର ରହିଛି ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଏହା ସହିତ କୋର୍ଟ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିରେ ଆବେଦନକାରୀ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର୍‌ ରଦ୍ଦ କରିବାକୁ ଅନୁରୋଧ କରିଥିଲେ।

ଏହି ମାମଲାଟି ଫେବୃଆରୀ ୨୦୧୯ର। ଏଥିରେ ମୁମ୍ବାଇ ପୋଲିସର ଜଣେ ସବ-ଇନ୍ସପେକ୍ଟର କିଛି ଲୋକଙ୍କ ବିରୋଧରେ ଏଫଆଇଆର୍‌ ଦାଖଲ କରିଥିଲେ। ପୋଲିସ ସବ-ଇନ୍ସପେକ୍ଟର ମୁମ୍ବାଇର ଭିଲେ ପାର୍ଲେରେ ରାଜପଥରେ ପାଟ୍ରୋଲିଂ କରୁଥିଲେ। ସେ ଦେଖିଲେ ଦୁଇଟି କାର ତୀବ୍ର ବେଗରେ ଆସୁଛି। ସେ କାର୍‌କୁ ଅଟକାଇ ସେଥିରେ ଥିବା ଲୋକଙ୍କୁ ପଚରାଉଚରା କରିଥିଲେ। କାରର ଡ୍ରାଇଭରକୁ ନିଶ୍ୱାସ-ପରୀକ୍ଷା କରିବାକୁ କୁହାଯାଇଥିଲା। ଯାହାଫଳରେ ଏହା ଜଣା ପଡିବ ଯେ ସେ ମଦ୍ୟପାନ କରିଛନ୍ତି କି ନାହିଁ। କାର ଡ୍ରାଇଭର ପୋଲିସର ବ୍ୟାରିକେଡକୁ ଭାଙ୍ଗି କାରକୁ ଆଗକୁ ନେଇ ଯାଇଥିଲା। ତେବେ ପୋଲିସ ଅନ୍ଧେରି ଅଞ୍ଚଳର ଏକ ବ୍ରିଜ ନିକଟରେ ଏହି ଲୋକଙ୍କୁ ଗୋଡ଼ାଇ ଧରିଥିଲା। କିନ୍ତୁ ଏହା ପରେ ମଧ୍ୟ ଉଭୟ କାରରେ ଥିବା ଲୋକମାନେ ପୋଲିସ ସହ ଯୁକ୍ତିତର୍କ କରିଥିଲେ। ପୋଲିସକୁ ସେମାନେ ଅସଦାଚରଣ କରିଥିଲେ।

ଏସମ୍ପର୍କରେ ପୋଲିସ ସବ-ଇନ୍ସପେକ୍ଟର ଏଫଆଇଆର୍‌ ରୁଜୁ କରିଥିଲେ। ଏଥିରେ ଭାରତୀୟ ପେନାଲ କୋଡ (ଆଇପିସି) ର ବିଭିନ୍ନ ଧାରା ସହିତ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିଥିବା ଅଭିଯୋଗ ମଧ୍ୟ କରାଯାଇଥିଲା।

କାର ଚାଳକମାନଙ୍କ ମଧ୍ୟରୁ ଜଣେ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ ଯେ, ଯେଉଁ କାରରେ ମଦ୍ୟପାନ କରାଯାଉଥିଲା ସେ ସେହି କାର୍‌ରେ ନଥିଲେ। ସେ ଅନ୍ୟ ଏକ କାରରେ ଥିଲେ। ତେଣୁ ତାଙ୍କ ବିରୋଧରେ ଥିବା ଏଫ୍‌ଆଇଆର୍‌କୁ ରଦ୍ଦ କରାଯିବା ଉଚିତ। ଏହା ବ୍ୟତୀତ ସେ ଜଣେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ ଅଭିଯୋଗକୁ ମଧ୍ୟ ସେ ବିରୋଧ କରିଥିଲେ। କିନ୍ତୁ ହାଇକୋର୍ଟ ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Share