ପାକ୍‌ ପାର୍ଲାମେଣ୍ଟ ଲଜ୍‌ରେ ପୋଲିସ

ଇସ୍‌ଲାମାବାଦ,୧୨ା୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଥିବାବେଳେ ଏହା ପୂର୍ବରୁ ଇସ୍‌ଲାମାବାଦ ପୋଲିସ ଗୁରୁବାର ରାତିରେ ପାର୍ଲାମେଣ୍ଟ ଲଜ୍‌ରେ ଧସେଇ ପଶି ୧୯ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ନ୍ୟାଶନାଲ ଆସେମ୍ବ୍ଲିର ମୁଖ୍ୟ ବିରୋଧୀ ଦଳ ସଦସ୍ୟମାନେ ଅଛନ୍ତି। ପିଏମ୍‌ଏଲ୍‌ଏନ୍‌ ନେତା ଖଓ୍ବାଜା ସାଦ୍‌ ରଫିକ୍‌ କହିଛନ୍ତି, ପାର୍ଲାମେଣ୍ଟ ଲଜ୍‌ରେ ପୋଲିସ ପ୍ରବେଶ କରିପାରିବ ନାହିଁ ବୋଲି ବୁଝାଇବାକୁ ଉଦ୍ୟମ କରିବା ସତ୍ତ୍ୱେ ସେମାନେ ଶୁଣି ନ ଥିଲେ। ପୋଲିସ ସହ ଧସ୍ତାଧସ୍ତି ବେଳେ ରଫିକ୍‌ ଆହତ ହୋଇଛନ୍ତି।
ଜମାଏତ୍‌ ଉଲେମା-ଇ-ଇସ୍‌ଲାମ (ଜେୟୁଆଇ-ଏଫ୍‌) ନେତୃତ୍ୱକୁ ସୁରକ୍ଷା ଦେବା ପାଇଁ ଗଠିତ ସ୍ବେଚ୍ଛାସେବୀ ବାହିନୀ ଅନ୍‌ସୁରାଲ ଇସ୍‌ଲାମ୍‌ର ସଦସ୍ୟମାନେ ପାର୍ଲାମେଣ୍ଟ ଲଜ୍‌ରେ ପ୍ରବେଶ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ତେବେ ଜେୟୁଆଇ ନେତା ତଥା ନ୍ୟାଶନାଲ ଆସେମ୍ବ୍ଲି ସଦସ୍ୟ ସଲୁହୁଦ୍ଦିନ ଆୟୁବି ଏହାକୁ ଖଣ୍ଡନ କରିଛନ୍ତି। ଲଜ୍‌ରେ ଆୟୁବି କର୍ମଚାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ସେହି ସମୟରେ ଲଜ୍‌ରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଏବଂ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌ଏନ୍‌)ର ଅନେକ ଏମ୍‌ପି ଉପସ୍ଥିତ ଥିଲେ। ପୋଲିସ କମାଣ୍ଡୋ ସଲାହୁଦ୍ଦିନ ଆୟୁବିଙ୍କ ସୁଟ୍‌ରେ ପ୍ରବେଶ କରି ଅନସୁରାଲ ଇସ୍‌ଲାମ କର୍ମୀଙ୍କୁ ଗିରଫ କରିଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଭୟଭୀତ ଥିବା ପ୍ରମାଣିତ ହୋଇଛି ବୋଲି ପିପିପି ଅଧ୍ୟକ୍ଷ ବିଲାଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରି କହିଛନ୍ତି।

Share