ଠାକୁରାଣୀ ଯାତ୍ରାରେ ପୋଲିସ ନିଷ୍କ୍ରିୟତାରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ପୁରୁଷୋତ୍ତମପୁର, ୩୧।୫(ଡିଏନଏ): ଶେଷ ହୋଇଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କିମ୍ବଦନ୍ତୀ ପୂର୍ଣ୍ଣ ଐତିହାସିକ ଠାକୁରାଣୀ ଯାତ୍ରା। ମଙ୍ଗଳବାର ବିଳମ୍ବିତ ରାତ୍ରରେ ଭାବ ବିହ୍ବଳ ହୋଇ ମା’ ଙ୍କୁ ଅଶୃଳ ବିଦାୟ ଦେଇ ପୁଣି ଦୁଇବର୍ଷ ପରେ ମା ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ସହର ବାସୀ। ବାଜବାଜଣା ଓ ଆତସବାଜିର ବିରାଟ ପଟୁଆର ସହ ହଜାର ହଜାର ଭକ୍ତଙ୍କ ମେଳରେ ଠାକୁରାଣୀ ଦର୍ଶନ ଦେଇଥିଲେ। ବାଣଯାତ୍ରାରେ ଦୀର୍ଘ ତିନି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ହାଇସ୍କୁଲ ପଡିଆ ବିଭିନ୍ନ ରଙ୍ଗୀନ ବାଣରେ ପ୍ରକମ୍ପିତ ହୋଇଥିଲା। ଏହାକୁ ଦେଖିବା ଲାଗି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। କିନ୍ତୁ ଏହି ଶୋଭାଯାତ୍ରାରେ ପୋଲିସର ଦେଖା ମିଳି ନ ଥିଲା। ପୋଲିସର ନିଷ୍କ୍ରିୟତା ଯୋଗୁ କିଛି ସ୍ଥାନରେ ମଦ୍ୟପଙ୍କ ଦୌରାତ୍ମ ଦେଖିବାକୁ ମିଳିଥିଲା। ଏହାଯୋଗୁ ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ଲୋକେ ଅତିଷ୍ଟ ହୋଇପଡିଥିଲେ।

Share