ପୋଲିସ ବାବୁ କରୋନା ଆକ୍ରାନ୍ତଙ୍କୁ ଗୋଇଠା ମାରି ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଲେ…

ଖଣ୍ଡଓ୍ବା,୧୨।୪: ଦେଶରେ କରୋନା ସଂକ୍ରମଣ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ବଞ୍ଜାରି ଗାଁର ଜଣେ କରୋନା ଆକ୍ରାନ୍ତ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ୪ ପୋଲିସ ବାବୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିବା ସହିତ ଗୋଇଠା ମାରୁଥିବା ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ପୋଲିସ ବାବୁମାନେ ମହିଳାଙ୍କୁ ପିଟିଛନ୍ତି। ଗାଁରେ ଜଣେ ଯୁବକଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଖବର ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଥିଲା। ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବାପରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଯୁବକଙ୍କ ଘରେ ପହଞ୍ଚି ତାଙ୍କୁ ହସ୍ପିଟାଲ ନେବାକୁ ଉଦ୍ୟମ କରିଥିଲେ। ତେବେ ଯୁବକଙ୍କ ମା’ ଜଣେ ଆଶାକର୍ମୀ ଥିବାରୁ ସେ ତାଙ୍କୁ ଘରେ ଚିକିତ୍ସା କରିବା ଲାଗି କହିଥିଲେ। ମାତ୍ର ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଚାଇନାରେ କରୋନା ଆକ୍ରାନ୍ତଙ୍କୁ ଘୋଷାଡ଼ି ନେଉଥିବା ଘଟଣା ଭଳି ଯୁବକଙ୍କୁ ନେବାକୁ ଅଡ଼ି ବସିଥିଲେ। ଖବର ପାଇ ଛୈଗାଓଁମାଖନ ଥାନାର ୪ ଜଣ ପୋଲିସ ବାବୁ ଘଟଣାସ୍ଥଳରେ ପହଞ୍ଚି ଚାଇନା ଷ୍ଟାଇଲ୍‌ରେ ଆକ୍ରାନ୍ତ ଯୁବକଙ୍କ ସମେତ ଘରର ଅନ୍ୟ ସଦସ୍ୟ ଏବଂ ମହିଳାଙ୍କୁ ପିଟିବା ଆରମ୍ଭ କରିଥିଲେ। ରାଜ୍ୟର ପୂର୍ବତନ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଅଫିସ ଅଫ୍‌ କମଳନାଥ ଟୁଇଟର ହ୍ୟାଣ୍ଡେଲରେ ୩୧ ସେକେଣ୍ଡର ଏହି ଭିଡ଼ିଓକୁ ଅପଲୋଡ୍‌ କରାଯାଇଛି। ଭିଡ଼ିଇ ଭାଇରାଲ ହେବାପରେ ପୋଲିସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Share