ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ମୃତ

ମାଲକାନଗିରି,୨୨ା୧୦ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲାରେ ଡିଆର୍‌ଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି।

କାଙ୍କେର ଜିଲା ପୋଲିସ କାର୍ଯ୍ୟାଳୟରୁ ଡିଆର୍‌ଜି, ବସ୍ତର ଫାଇଟର ଓ ବିଏସ୍‌ଏଫ୍‌ ଯବାନମାନେ କୋୟାଲିବାରୋ ଥାନା ଅଞ୍ଚଳର ଗୋମେ ଗ୍ରାମ ଜଙ୍ଗଲରେ ମିଳିତ କୋମ୍ବିଂ ଅପରେଶନ କରୁଥିବା ବେଳେ ସେଠାରେ ଏକ ବୈଠକ କରୁଥିବା ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଯବାନ ଏହାର ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଶେଷରେ ପୋଲିସ ଗୁଳିର ସାମ୍‌ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇଥିଲେ। ପରେ ଯବାନମାନେ ଜଙ୍ଗଲରେ ଯାଞ୍ଚ କରିବା ସମୟରେ ଦୁଇଜଣ ମାଓବାଦୀଙ୍କ ମୃତଦେହ ମିଳିଥିଲା। ଏଥିସହ ଇନ୍‌ସାସ୍‌ ରାଇଫଲ ଓ ବିସ୍ଫୋରକ ସାମଗ୍ରୀ ପୋଲିସ ଜଙ୍ଗଲରୁ ଜବତ କରିଥିଲା। ମୃତ୍ୟୁବରଣ କରିଥିବା ୨ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ। ଜଙ୍ଗଲରେ ସର୍ଚ୍ଚ ଅପରେଶନ ଜାରି ରଖିଥିବା କାଙ୍କେର ଏସ୍‌ପି ଦିବ୍ୟାଙ୍ଗ ପଟେଲ କହିଛନ୍ତି।

Share