ବନ୍ୟା ପାଣି ଭିତରେ ଠିଆ ହୋଇ ପତାକା ଉତ୍ତୋଳନ କଲେ ପୋଲିସ କର୍ମୀ

ବହରାଇଚ୍‌,୧୫।୮: ସମଗ୍ର ଦେଶରେ ୭୪ତମ ସ୍ବାଧିତନା ଦିବସ ପାଳିତ ହୋଇଛି। କରୋନା ପ୍ରକୋପ ଯୋଗୁଁ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଏହି ଉତ୍ସବ ପାଳନ କରିଛନ୍ତି। ଏହି ସମୟରେ କିଛି ଏଭଳି ଏକ ଦୃଶ୍ୟ ଆସିଛି, ଯାହାକୁ ଦେଖିଲେ ଲାଗିବ ଯେତେ କଷ୍ଟ ହେଉନା କାହିଁକି ଦେଶପ୍ରେମର ଭାବନା ହୃଦୟରୁ କେବେ ହ୍ରାସ ପାଇପାରିବ ନାହିଁ। ଉତ୍ତରପ୍ରଦେଶ ବହରାଇଚ୍‌ର ବୋଣ୍ଡି ଥାନା ପରିସରରୁ ଆସିଥିବା ଦୃଶ୍ୟକୁ ଦେଖିଲେ ଯେକେହିବି ଦେଶଭକ୍ତିରେ ମଜିଯିବେ।

ସୂଚନାଯୋଗ୍ୟ, ଜିଲା ମୁଖ୍ୟାଳୟରୁ ପାଖାପାଖି ୩୦ କିଲୋମିଟର ଦୂର ସ୍ଥିତ ବୋଣ୍ଡି ଥାନା ପରିସର ବନ୍ୟା ପାଣି ଘେରରେ ରହିଛି। ଏହା ସତ୍ତ୍ୱେ ବି ଥାନାରେ କୁତୟନ ଥିବା ପୋଲିସକର୍ମୀମାନେ ବନ୍ୟା ପାଣି ଭିତରେ ଠିଆ ହୋଇ ଜାତୀୟ ସଙ୍ଗୀତ ଗାନ କରିବା ସହ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଜଣେ ମହିଳା ପୋଲିସ କର୍ମୀ କହିଛନ୍ତି, ଯେତେବେଳେ ଦେଶର ଯବାନ ବରଫରେ ଠିଆ ହୋଇ ଦେଶର ରକ୍ଷା କରିପାରୁଛନ୍ତି ତେବେ ଏହି ବନ୍ୟା ପାଣିରୁ ଆମେ କାହିଁକି ଡରିବୁ। ପୋଲିସକର୍ମୀଙ୍କ ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ତାଙ୍କ ସାହସିକତାକୁ ଦେଶବାସୀ ପ୍ରଶଂସା କରିଛନ୍ତି।

Share