ପୋଲିସ କର୍ମଚାରୀଙ୍କୁ ମାଡ଼ : ଗ୍ରାମବାସୀଙ୍କ ନାମରେ ମାମଲା

ଭୋଗରାଇ,୩୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଟୁକୁରୀହାଜିରା ବାଗଞ୍ଜର ପାହିଠାରେ ଗୁରୁବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିବାକୁ ଯାଇ ପୋଲିସ ମାଡ଼ ଖାଇବା ଘଟଣା ଭିନ୍ନମୋଡ଼ ନେଇଛି। ଏହି ଘଟଣାରେ ଭୋଗରାଇ ଥାନା ପକ୍ଷରୁ ପୃଥକ୍‌ ଭାବେ ଦୁଇଟି ମାମଲା (ନଂ. ୧୧୭/୨୩ ଓ ୧୧୮/୨୩) ରୁଜୁ କରାଯାଇଛି। ପୋଲିସ ସହ ମୃତ ଯୁବକଙ୍କ ସ୍ତ୍ରୀ ଓ ଶାଶୁଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଶତାଧିକ ଗ୍ରାମବାସୀଙ୍କ ନାମରେ ମାମଲା ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲା ବୈଶିଙ୍ଗା କରଞ୍ଜପଡ଼ା ଅଞ୍ଚଳର ସଦନ ଦେହୁରୀ ନାମକ ଯୁବକ ଭୋଗରାଇପାହିଠାରେ ଥିବା ଚିଙ୍ଗୁଡ଼ିଘେରି ଫାର୍ମରେ ଦୀର୍ଘଦିନ ଧରି କାମ କରି ଆସୁଥିଲେ। ଟୁକୁରୀ ହାଜରା ପଞ୍ଚାୟତ ରଣକୋଠା ଗ୍ରାମର ପ୍ରିୟଙ୍କା ପାତ୍ରଙ୍କୁ ଭଲ ପାଇ ପ୍ରେମ ବିବାହ ପରେ ଶ୍ୱଶୁର ଘରେ ରହି ଆସୁଥିଲେ। ଗତ କିଛିମାସ ଧରି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଘରୋଇ ଗଣ୍ଡଗୋଳ ଲାଗି ରହୁଥିଲା। ସ୍ବାମୀଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଗ୍ରାମବାସୀ ଓ ମୃତ ଯୁବକଙ୍କ ପରିବାର ଲୋକେ ଭୋଗରାଇ ଥାନାରେ ଏତଲା ଦେଇଥିଲେ। ଯୁବକଙ୍କ ମୃତଦେହ ପୋଲିସ କର୍ମଚାରୀ ଉଦ୍ଧାର କରିବାକୁ ଯାଇ ସ୍ଥାନୀୟ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ଗ୍ରାମବାସୀ ହତ୍ୟାକାରୀଙ୍କୁ ଗିରଫ ନ ହେବା ପର୍ଯ୍ୟନ୍ତ ମୃତଦେହ ଛାଡ଼ିବେ ନାହଁି ବୋଲି ଅଡ଼ି ବସିବା ପରେ ପୋଲିସ ସହିତ ଗ୍ରାମବାସୀଙ୍କ ଯୁକ୍ତିତର୍କ ଓ ପରେ ଗଣ୍ଡଗୋଳ ହୋଇଥିଲା। ଗ୍ରାମବାସୀ ପୋଲିସ ପହଞ୍ଚିବା ପୂର୍ବରୁ ମୃତ ଯୁବକଙ୍କ ସ୍ତ୍ରୀ ପ୍ରିୟଙ୍କା ପାତ୍ର ଓ ତାଙ୍କ ଶାଶୁ ଆହ୍ଲାଦି ପାତ୍ରଙ୍କୁ ମାଡ଼ ମାରିଥିଲେ। ପୋଲିସ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆକ୍ରୋଶର ଶିକାର ହୋଇଥିଲା। ଲୋକେ ପୋଲିସ କର୍ମଚାରୀଙ୍କୁ ଠେଲାପେଲା, ଢ଼େଲାମାଡ଼ ସହ ଠେଙ୍ଗାରେ ଆକ୍ରମଣ କରିଥିଲେ।