Categories: ଜାତୀୟ

ପୋଲିସ ବାବୁ ସାଜିଥିଲେ ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର

ଲକ୍ଷ୍ନୌ,୮।୭: ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର ସାଜିଥିବା ପୋଲିସ ବାବୁଙ୍କ ଉପରେ ଉତ୍ତରପ୍ରଦେଶ ପୋଲିସ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ତାଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏବେ ପୋଲିସ ହେପାଜତରେ ରଖାଯାଇଛି। ଚୌବେପୁର ଥାନା ଏସ୍‌ଓ ବିନୟ ତିଓ୍ବାରୀ ଅପରାଧୀ ବିକାଶଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ଯୋଗାଇ ଦେଇଥିବା ଅଭିଯୋଗର ପ୍ରମାଣ ମିଳିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍‌ଟିଏଫ୍‌ ଟିମ୍‌ ବିନୟଙ୍କୁ ପଚରା ଉଚରା କରିବା ପରେ ଏଭଳି କରାଯାଇଥିବା କୁହାଯାଉଛି। ଏହି ମାମଲାରେ ଥାନା ଇନଚାର୍ଜ କେ.କେ.ଶର୍ମାଙ୍କୁ ମଧ୍ୟ ପଚରା ଉଚରା ଜାରି ରହିଛି। ଏହି ଘଟଣାରେ ଶହୀଦ୍‌ ହୋଇଥିବା ସିଓ ଦେବେନ୍ଦ୍ର ମିଶ୍ରାଙ୍କ ଚିଠି ଭାଇରାଲ ହେବାରେ ଲାଗିଛି। ଚିଠିରେ ଚୌବେପୁର ସିଓ ବିନୟ ତିଓ୍ବାରୀଙ୍କ ସହିତ ଅପରାଧୀ ବିକାଶଙ୍କର ନିବିଡ଼ ସମ୍ପର୍କ ରହିଥିବା ଦର୍ଶାଯାଇଛି। ଏସମ୍ପର୍କରେ ତତ୍‌କାଳୀନ ଏସ୍‌ଏସ୍‌ପି ଅନନ୍ତ ଦେବଙ୍କୁ ଜଣାଇଥିଲେ। ଚିଠି ଭାଇରାଲ ହେବା ପରେ ବିନୟଙ୍କୁ ପ୍ରଥମେ ପଚରା ଉଚରା କରାଯାଇଥିଲା। ପୋଲିସ ଟିମ୍‌ ବିକାରୁ ଯିବା ସମୟରେ ବିନୟ ଜାଣିଶୁଣି ଯୋଜନାବଦ୍ଧ ଭାବେ ଫୋନ୍‌ କରି ବିଦ୍ୟୁତ୍‌ ସଂଯୋଗ କାଟି ଦେଇଥିବା ଅଭିଯୋଗ ହୋଇଛି।

Share