ଥାନା ଅଧିକାରୀ ମନୋରଞ୍ଜନ ମିଶ୍ର ହତ୍ୟା ମାମଲା: ଅଭିଯୁକ୍ତ ସମୀରଙ୍କୁ ଆଜୀବନ କାରାଦଣ୍ଡ

ଆସିକା,୪ା୧୨(ସୁରେନ୍ଦ୍ର ନାଥ ସାହୁ): ୨୦୧୦ ନଭେମ୍ବର ୨୬ ତାରିଖ ରାତିରେ ଶେରଗଡ ଥାନାର ତତ୍କାଳୀନ ଥାନା ଅଧିକାରୀ ମନୋରଞ୍ଜନ ମିଶ୍ରଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ୩ ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ସୁଶାନ୍ତ ବେହେରାଙ୍କୁ ଆଜୀବନ ଜେଲ୍‌ ହୋଇଥିବା ବେଳେ ସୋମବାର ମୁଖ୍ୟ ତଥା ଅନ୍ୟତମ ଅଭିଯୁକ୍ତ ସମୀର ପଣ୍ଡାଙ୍କୁ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି

ଆସିକା ଅତିରିକ୍ତ ଜିଲା ଦୌରାଜଜ୍‌ ପ୍ରବୀର କୁମାର ଚୌଧୁରୀ ମାମଲାର ଚୂଡାନ୍ତ ଶୁଣାଣି କରି ସମୀରଙ୍କୁ ଆଜୀବନ ଜେଲ୍‌ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ୪ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଦାଲତ ଏହି ମାମଲାରେ ଅଭିଯୁକ୍ତଙ୍କୁ ଅନ୍ୟ ୪ଟି ଦଫାରେ ସଶ୍ରମ କାରାଦଣ୍ଡ ସହ ଜରିମାନା ମଧ୍ୟ କରିଛନ୍ତି। ଜରିମାନା ଅର୍ଥ ମୃତ ଥାନା ଅଧିକାରୀଙ୍କ ପରିବାରକୁ ଦେବା ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତୃତୀୟ ଅଭିଯୁକ୍ତ ସୁନିଲ ବେହେରା ସାକ୍ଷ୍ୟ ପ୍ରମାଣ ଅଭାବରୁ ପୂର୍ବରୁ ଖଲାସ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୫ ତାରିଖରେ ମାମଲାର ରାୟ ପ୍ରକାଶ ବେଳେ ମୁଖ୍ୟ ଅଭିଯୁକ୍ତ ସମୀର ଅଦାଲତରେ ହାଜର ହୋଇ ନ ଥିବାରୁ ତାଙ୍କ ବିରୋଧରେ ଅଦାଲତ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ରବିବାର ବ୍ରହ୍ମପୁର ଟାଉନ ଥାନା ପୋଲିସ ଗୋଲାପଲ୍ଲୀରୁ ଏକ ଲଜ୍‌ରୁ ତାଙ୍କୁ ଗିରଫ କରି ଶେରଗଡ ପୋଲିସ ଜିମା ଦେଇଥିଲା। ପୋଲିସ ତାଙ୍କୁ ଅଦାଲତରେ ହାଜର କରିବା ପରେ ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲା ସ୍ବତନ୍ତ୍ର ପିପି ତ୍ରିଲୋଚନ ପରିଡା ମାମଲା ଲଢୁଥିଲା ବେଳେ ସରକାରୀ ଓକିଲ ସୁଧାଂଶୁ କୁମାର ପଣ୍ଡା ଓ ସୂର୍ଯ୍ୟପ୍ରକାଶ ରାଓ ସହଯୋଗୀ ଥିଲେ।

Share