ସମ୍ମାନିତ ହେଲେ ପୋଲିସ ଅଧିକାରୀ

ଝାରସୁଗୁଡ଼ା ଅଫିସ,୨ା୪: ଝାରସୁଗୁଡା ଓଏସ୍‌ଏପି ଦ୍ୱିତୀୟ ବାଟାଲିଅନ ପଡିଆରେ ଜିଲା ପୋଲିସ ପ୍ରଶାସନ ତରଫରୁ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏସ୍‌ପି ବିକାଶ ଚନ୍ଦ୍ର ଦାସ ମୁଖ୍ୟଅତିଥି ଓ ଜିଲାପାଳ ସରୋଜ କୁମାର ସାମଲ, ଉପଦୁର୍ଗପତି ଲକ୍ଷ୍ମଣ ସିଂହ, ସହକାରୀ ଉପଦୁର୍ଗପତି ମାନ୍ଦାତା ସାଏ, ଦିଲୀପ ସାହୁ, ଅତିରିକ୍ତ ଏସ୍‌ପି କେଶବ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପରେଡ୍‌ରେ ୪ ପ୍ଲାଟୁନ୍‌ ପୋଲିସ ସାମିଲ ହୋଇଥିଲେ। ଏହି ଅବସରରେ ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲାର ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏଥିମଧ୍ୟରେ ରାଜ୍ୟସ୍ତରୀୟ ବେଷ୍ଟ ବାଟାଲିଅନ ଭାବେ ଝାରସୁଗୁଡ଼ା ଓଏସ୍‌ଏପି ଦ୍ୱିତୀୟ ବାଟାଲିଅନ, ରାଜ୍ୟସ୍ତରୀୟ ବେଷ୍ଟ ସୁବେଦାର ଲୋକନାଥ ଲାମା, ଡିଜିପି ଡିକ୍ସ ଆଓ୍ବାର୍ଡ କମାଣ୍ଡାଣ୍ଟ ଭବାନୀ ଶଙ୍କର ସେଠ୍‌, ଏସ୍‌ଆଇ ସାଗର ପ୍ରସାଦ ଯୋଶୀ, ହାବିଲଦାର ଶ୍ୟାମ ବାହାଦୁର ରାଣା, ଝାରସୁଗୁଡ଼ା ଥାନା ଆଇଆଇସି ସାବିତ୍ରୀ ବଳ, ରାଜ୍ୟସ୍ତରୀୟ କ୍ୟାସ ରିଓ୍ବାର୍ଡ ଏସ୍‌ଆଇ ରବି ଶଙ୍କର ଭଇଁସା, ଟ୍ରାଫିକ୍‌ କନଷ୍ଟେବଳ ବଜରଙ୍ଗ ବେହେରା, ବାଟାଲିଅନ ଲେବଲ କ୍ୟାସ୍‌ ରିଓ୍ବାର୍ଡ ଭାବେ ଏସ୍‌ଆଇ ଶରଣ କୁମାର ଛେତ୍ରୀ, ଏଏସ୍‌ଆଇ ୟାମବାହାଦୁର ଗୁରୁଙ୍ଗ, ହାବିଲଦାର ସନ୍ତରାଜ ଶ୍ରେଷ୍ଠ, ସିପାହୀ ଛବିଲାଲ ଥାପାଙ୍କୁ ମାନପତ୍ର ସହ କ୍ୟାସ୍‌ ଆଓ୍ବାର୍ଡ ପ୍ରଦାନ କରଯାଇଛି।