ଓଜନ କମାଇବା ପାଇଁ ପୋଲିସ ବାବୁଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଭୁବନେଶ୍ବର ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛି। ଡିଜି କ୍ୟାମ୍ପ ହାଉସ୍‌ରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ହେଡ୍‌କ୍ବାର୍ଟର, ଟିମ୍‌ ୬୦, ଓଏସ୍‌ଏପି ଫିଟ୍‌ ରହିବେ ସେଥିପାଇଁ କମିଶନରେଟ ପୋଲିସ ନିର୍ଦ୍ଦେଶନାମା ଜାରି କରିଛି। ଡ୍ୟୁଟିର ସୁବିଧା ଅନୁଯାୟୀ, ସକାଳେ ଏବଂ ଅପରାହ୍ନରେ ନିଜ ନିଜ କ୍ୟାମ୍ପସ୍‌ରେ ବ୍ୟାୟାମ କରାଯିବ। ଫିଟନେସ୍‌ ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ୱ ଦେବାକୁ ସବୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉପସ୍ଥାନକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ୮୦ ପ୍ରତିଶତରୁ କାହାର ଉପସ୍ଥାନ କମ୍‌ ରହିବ ନାହିଁ।

ସେହିପରି ଓଜନ ଉପରେ ଗୁରୁତ୍ୱ ଦିଆଯାଇ ଏହାକୁ ନିୟମିତ ଭାବେ ତଦାରଖ କରାଯିବ। ତମାଖୁ ଦ୍ରବ୍ୟ ଏବଂ ମଦ୍ୟପାନର ବ୍ୟବହାର କମ୍‌ କରିବାକୁ ଚାପ ପକାଯିବ । ୟୁନିଫର୍ମରେ ସ୍ମାର୍ଟ ଲୁକ୍‌କୁ ଗୁରୁତ୍ୱ ଦିଆଯିବା ସହ ସକ୍ରିୟ ଭାବରେ କାମ କରିବାକୁ ପରାମର୍ଶ ଦିଆଯାଇଛି।

Share