ଟିକିରି,୭ା୫(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ରେଲଓ୍ବେ ଷ୍ଟେଶନରେ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ୍ ରହଣୀ ଦାବି ନେଇ ଆନ୍ଦୋଳନ ତେଜୁଛି। ରବିବାରଠାରୁ ଟିକିରି ରେଲଓ୍ବେ ଷ୍ଟେଶନରେ ଅଞ୍ଚଳବାସୀ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହା ପୂର୍ବରୁ ଗୁରୁବାର ରାତିରେ ସ୍ଥାନୀୟ ପୋଲିସ ଦୁଇ ଜଣଙ୍କୁ ଉଠାଇ ନେଇଛି। ଏହାକୁ ଟିକିରିବାସୀ ନିନ୍ଦା କରିବା ସହିତ ଦୋକାନ ବଜାର ବନ୍ଦ କରାଯାଇଛି। ଟିକିରିରେ ଖଣି, କାରଖାନା ଥିବା ବେଳେ ଏଠାରେ ଥିବା ଷ୍ଟେଶନ ଉପରେ ଶହ ଶହ ଲୋକ ନିର୍ଭର କରିଥାନ୍ତି। ତେଣୁ ଟିକିରି ଷ୍ଟେଶନରେ ସମଲେଶ୍ୱରୀ ଟ୍ରେନ ରହଣୀ ପାଇଁ ପୂର୍ବରୁ ବହୁବାର ରେଳବାଇ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ଦାବି ପୂରଣ ପାଇଁ ଥରକୁ ଥର ପ୍ରତିଶ୍ରୁତି ମିଳିଥିଲେ ବି ଟ୍ରେନ ରହଣି ହୋଇ ନ ଥିବାରୁ ଅଞ୍ଚଳବାସୀ ଷ୍ଟେଶନରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଗୁରୁବାର ରାତିରେ ପୋଲିସ ଗୌରାଙ୍ଗ ସାହୁ ଏବଂ ବିନୋଦ ନାଏକଙ୍କୁ ଉଠାଇ ନେଇ ଅପରାହ୍ନରେ ଛାଡିଦେଇଛି।