Categories: ଜାତୀୟ

ଭିଆଇପିଙ୍କୁ ପୋଲିସ ସୁରକ୍ଷା: ପଶ୍ଚିମବଙ୍ଗ-ପଞ୍ଜାବ-ବିହାର ଶୀର୍ଷରେ

ନୂଆଦିଲ୍ଲୀ,୩୧।୧୨: ଦେଶରେ ଭିଆଇପିଙ୍କ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତ ହୋଇଥିବା ପୋଲିସଙ୍କ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ପଶ୍ଚିମବଙ୍ଗ,ପଞ୍ଜାବ ଏବଂ ବିହାରରେ ଅଧିକ ଭିଆଇପିଙ୍କ ସୁରକ୍ଷା କାର୍ଯ୍ୟରେ ପୋଲିସଙ୍କୁ ମୁତୟନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏସବୁ ରାଜ୍ୟରେ ଅଧିକ ଅନ୍ଦୋଳନ, ହିଂସାକାଣ୍ଡ ଆଦି ଘଟୁଥିବା ରିପୋର୍ଟରେ କୁହାଯାଇଛି। ୨୦୧୯ରେ ଦେଶର ୧୯ ହଜାରରୁ ଅଧିକ ଭିଆଇପିଙ୍କ ସୁରକ୍ଷାରେ ୬୬ ହଜାରରୁ ଅଧିକ ପୋଲିସଙ୍କୁ ନିଯୁକ୍ତ କରାଯାଇଛି। ଏସବୁ ଭିଆଇପିଙ୍କ ମଧ୍ୟରେ ମନ୍ତ୍ରୀ, ଏମ୍‌ପି, ବିଧାୟକ, ବିଚାରପତି, ଉଚ୍ଚ ସରକାରୀ ଅଧିକାରୀ ଏବଂ ଅନ୍ୟ ଖ୍ୟାତି ସମ୍ପନ୍ନ ବ୍ୟକ୍ତିମାନେ ରହିଛନ୍ତି। ୨୦୧୯ରେ ଛତିଶଗଡ଼ରେ ୧୧୨ ମାଓବାଦୀଙ୍କ ସହିତ ୧୧୨ଟି ମୁହାଁମୁହିଁ ଘଟଣା ଘଟିଥିବାବେଳେ ୭୭ ଆଇଇଡି ବିସ୍ଫୋରଣ ଘଟିଛି। ଏଥିରେ ୪୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ୩୧୫ ଜଣ ଭିଆଇପିଙ୍କ ସୁରକ୍ଷା କାର୍ଯ୍ୟ ପାଇଁ ପୋଲିସଙ୍କୁ ନିଯୁକ୍ତ କରାଯାଇଛି। ଅପରପକ୍ଷରେ ପଶ୍ଚିମବଙ୍ଗରେ ୩ ହଜାର ୧୪୨,ପଞ୍ଜାବରେ ୨ ହଜାର ୫୯୪ ଏବଂ ବିହାରରେ ୨ ହଜାର ୩୪୭ ଜଣ ଭିଆଇପିଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଦିଲ୍ଲୀରେ ୫୦୧ ଭିଆଇପିଙ୍କ ଲାଗି ସର୍ବାଧିକ ୮,୧୮୨ ପୋଲିସଙ୍କୁ ନିଯୁକ୍ତ କରାଯାଇଛି। ଗୋଆରେ ସର୍ବନିମ୍ନ ୩୨ ଜଣଙ୍କୁ ଭିଆଇପି ସୁରକ୍ଷା ଯୋଗାଇ ଦିଆଯାଇଛି। ୨୦୧୮ରେ ଦେଶର ୨୧,୩୦୦ ଭିଆଇପିଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ୨୦୧୯ରେ ୧୯,୪୬୭ ଭିଆଇପିଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ୨୦୧୮ରେ ଏହି କାର୍ଯ୍ୟରେ ୬୩,୦୬୧ ପୋଲିସଙ୍କୁ ମୁତୟନ କରାଯାଇଥିବାବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୬୪,୦୪୩ରେ ପହଞ୍ଚିଥିବା ରିପୋର୍ଟରେ ଦର୍ଶାଯାଇଛି।

Share