ବାଜା ବଜାଇ ଅଭିଯୁକ୍ତଙ୍କ ଘରେ ପହଞ୍ଚିଲା ପୋଲିସ…

ବୈଶାଳୀ,୯।୪: କେବେ କେଉଁଠି ଶୁଣିଛନ୍ତି କି ପୋଲିସ ବ୍ୟାଣ୍ଡବାଜା ବଜାଇ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା କଥା। କଥାଟି ଅଡ଼ୁଆ ଲାଗିଲେ ବି ସତ। ବିହାରର ବୈଶାଳୀ ଜିଲାରେ ଏଭଳି ଚକିତ କରିଦେବା ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ପୋଲିସ ବ୍ୟାଣ୍ଡବାଜା ସାଙ୍ଗରେ ନେଇ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲା। ଏହାପରେ ଘର ସମ୍ମୁଖରେ ବ୍ୟାଣ୍ଡବାଜା ବଜାଇ ମାଇକ ଯୋଗେ ତାଙ୍କୁ ଆତ୍ମସମର୍ପଣ କରିବାକୁ କହିବା ସହ ଅଭିଯୁକ୍ତଙ୍କ ଘରେ ଏକ ନୋଟିସ ଲଗାଇଥିଲା। ଏହି ଘଟଣା ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ନଭେମ୍ବର ୨୦୨୦ରେ ବୈଶାଳୀ ଜିଲାର ମହୁଆ ଅଞ୍ଚଳରେ ରହୁଥିବା ଜଣେ ଯୁବକ ଜଣେ ନାବାଳିକାକୁ ବଳାତ୍କାର କରି ଅଶ୍ଳୀଳ ଭିଡିଓ ତିଆରି କରିଥିଲେ। ଏଥିସହ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ କହି ପୀଡ଼ିତାଙ୍କ ଘର ଲୋକକୁ ଧମକ ଦେବା ସହ ୧୦ହଜାର ଟଙ୍କା ମାଗିଥିଲେ। ଏହାସତ୍ତ୍ୱେ ବି ଅଭିଯୁକ୍ତ ଜଣଙ୍କ ଉକ୍ତ ଭିଡିଓକୁ ଭାଇରାଲ କରିଦେଇଥିଲେ। ଫଳରେ ପୀଡ଼ିତାଙ୍କୁ ବହୁ ଅପମାନ ସହ୍ୟ କରିବାକୁ ପଡ଼ିଥିଲା। ଶେଷରେ ପୀଡ଼ିତାଙ୍କ ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୁକ୍ତଙ୍କ ନାଁରେ ଏଫ୍‌ଆଇଆର ଦେଇଥିଲେ। ପୋଲିସ ପୋକ୍ସୋ ଆକ୍ଟ ଆଧାରରେ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଗତ ୩ମାସରୁ ଅଭିଯୁକ୍ତ ଜଣଙ୍କ ଫେରାର ଥିବା ବେଳେ ପୋଲିସ ପ୍ରତିଦିନ ତାଙ୍କ ଘରକୁ ଯାଇ ବ୍ୟାଣ୍ଡବାଜା ବଜାଇବା ସହ ଆତ୍ମସମର୍ପଣ କରିବାକୁ ଏକ ନୋଟିସ ଦେଇକି ଆସିଥାନ୍ତି।

 

 

Share