Categories: ଜାତୀୟ

ପାକିସ୍ତାନର ଷଡ଼ଯନ୍ତ୍ର: ଅମୃତସରରୁ ମିଳିଲା ଗ୍ରେନେଡ, ଗୁଳି-ଟିଫିନ ବୋମା

ଅମୃତସର,୯।୮: ପାକିସ୍ତାନ ନିଜ କାର୍ଯ୍ୟରୁ ବାଦ୍‌ ପଡ଼ୁନାହିଁ। ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରି ଚାଲିଛି। ସୀମା ଜରିଆରେ ସେ ନିଜ ସାଥୀଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପଠାଇବାକୁ ଉଦ୍ୟମ କରୁଛି। ଇତିମଧ୍ୟରେ ପଞ୍ଜାବର ଅମୃତସରରେ ପାକିସ୍ତାନ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଇଥିବା ଜଣାପଡ଼ିଛି। ତେବେ ଗ୍ରାମବାସୀଙ୍କ ସତର୍କତା ପରେ ପଞ୍ଜାବ ପୋଲିସ ଏହାକୁ ଜବତ କରିବାରେ ସଫଳ ହୋଇଛି। ୭ଟି ବ୍ୟାଗରେ ପାକିସ୍ତାନ ଆଇଇଡି, ହ୍ୟାଣ୍ଡ ଗ୍ରେନେଡ ଏବଂ ଗୁଳି ପଠାଇଥିଲା। ସୂଚନା ଆଧାରରେ ରବିବାର ସନ୍ଧ୍ୟାରେ ପଞ୍ଜାବ ପୋଲିସ ଏହି ଅସ୍ତ୍ରଶସ୍ତ୍ରକୁ ଜବତ କରି ପାକିସ୍ତାନର ଯୋଜନାକୁ ପଣ୍ଡ କରିଛି। ଏନେଇ ପଞ୍ଜାବର ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଦିନକର ଗୁପ୍ତା ସୋମବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଶନିବାର ଓ ରବିବାର ଅମୃତସର ନିକଟସ୍ଥ ଏକ ଗ୍ରାମରେ ଡ୍ରୋନ୍‌ର ଗତିବିଧି ଦେଖିବାକୁ ମିଳିଥିଲା। ଏଥିସହ ଗାଁଲୋକେ କିଛି ଖସିିବାର ଶବ୍ଦ ମଧ୍ୟ ଶୁଣିବାକୁ ପାଇଥିଲେ। ଏହାପରେ ଗାଁଲୋକେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ତେବେ ରବିବାର ସନ୍ଧ୍ୟାରେ ପୋଲିସ ଯାଞ୍ଚ କରିବା ସମୟରେ ବିସ୍ଫୋରକ ସାମଗ୍ରୀ ତଥା ଆଇଇଡି, ଟିଫିନ ବୋମା, ପାଞ୍ଚଟି ହ୍ୟାଣ୍ଡ ଗ୍ରେନେଡ ଓ ୧୦୦ରୁ ଅଧିକ ଗୁଳି ଜବତ କରିଥିଲା। ଏନେଇ ସ୍ଥାନୀୟ ପୋଲିସ ଗୋଇନ୍ଦା ବିଭାଗକୁ ମଧ୍ୟ ସୂଚନା ପଠାଇଛି। ଏତଦ୍‌ ବ୍ୟତୀତ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ପୋଲିସ ଡିଜିପି ସୂଚନା ଦେଇଛନ୍ତି। ଅନ୍ୟପଟେ ସ୍ବାଧୀନତା ଦିବସ ପୂର୍ବରୁ ପାକିସ୍ତାନ ପଞ୍ଜାବ, ଜମ୍ମୁ-କାଶ୍ମୀର ସୀମାରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରିଛି। କ୍ରମାଗତ ଭାବେ ସେ ଡ୍ରୋନ ଜରିଆରେ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛି।

Share