ସୋରଡା,୨୫ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଗାଜଲବାଡି ଖଜୁରିପଲି ଗ୍ରାମ ନିକଟ କୋଟାମଣି ପାହାଡ ତଳ ଜଙ୍ଗଲରୁ ଗତ ଶନିବାର ନର କଙ୍କାଳ ଓ ଖପୁରି ଠାବ ହେଇଥିଲା। ତଦନ୍ତରୁ ସେ ଟିକାବାଲି ଅଞ୍ଚଳର ଜଣେ ନାବାଳିକା ବୋଲି ଜଣାପଡିଥିଲା। ଏହି ଘଟଣାରେ ୪ଜଣଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ମଙ୍ଗଳବାର ୨ଜଣ ବିଜୟ ନାୟକ, ଓ ସଂଦୀପ ସାହୁଙ୍କୁ କୋର୍ଟଚାଲାଣ କରିଛି। ଏ ନେଇ ସୋରଡା ଥାନାରେ ୧୩୩/୨୫ରେ ବଳାତ୍କାର ଓ ହତ୍ୟା ମାମଲା ରୁଜୁ ହୋଇଛି। କୋର୍ଟଚାଲାଣ ପୂର୍ବରୁ ପୋଲିସ ମୁଖ୍ୟ ଅଭିଯୁକ୍ତ ବିଜୟ ଓ ସନ୍ଦୀପଙ୍କୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏଶନ କରିଥିଲା। ଏହି ସମୟରେ ଆସିକା ଏସଡିପିଓ ସନ୍ତୋଷ ଜେନା ଓ ସୋରଡା ଏସଆଇ କୈଳାସ ନାୟକ ଥିଲେ।
ସୋରଡ଼ା ଥାନା ଅଧୀନ ଗାଜଲବାଡି ପଞ୍ଚାୟତର ଖଜୁରୀପଲି ଗ୍ରାମ ନିକଟସ୍ଥ କୋଟାମଣି ପାହାଡ ଅଞ୍ଚଳରେ ଶନିବାର କେତେଜଣ ଗ୍ରାମବାସ ଜାଲେଣି କାଠ ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ଗ୍ରାମବାସୀ ଜଙ୍ଗଲ ଭିତରେ ମଣିଷ କଙ୍କାଳ ଓ ପଞ୍ଜରା ହାଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ଭୟଭୀତ ହୋଇ ଚାଲିଆସି ଗାଜଲବାଡି ସରପଞ୍ଚକୁ ଜଣାଇଥିଲେ। ଏହି ସମ୍ପର୍କରେ ସରପଞ୍ଚ ସୋରଡ଼ା ଥାନାକୁ ଖବର ଦେଇଥିଲେ।