ଟୁଇଟ୍‌ କରି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ପୋଲିସ…

ନୂଆଦିଲ୍ଲୀ,୧୪।୩ : ପରୀକ୍ଷାରେ ଖରାପ ହେବାରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଯୁବକଙ୍କୁ ରାଜସ୍ଥାନ ପୋଲିସ ଉଦ୍ଧାର କରିଛନ୍ତି। ଯୁବକ ଜଣକ ଟୁଇଟ୍‌ କରି ସେ ଆତ୍ମହତ୍ୟା କରିବାକୁ ଯାଉଥିବା ସୂଚନା ଦେଇଥିଲେ। ତାଙ୍କର ଜଣେ ସାଙ୍ଗ ଏନେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଟିମ୍‌ ଯୁବକଙ୍କ ମୋବାଇଲ୍‌ ଲୋକେଶନ ଚିହ୍ନଟ କରି ତାଙ୍କୁ ରକ୍ଷା କରିଛନ୍ତି।

ଯୁବକ ଜଣକ ରାଜସ୍ଥାନର ଅଲଓ୍ବରର ବାସିନ୍ଦା। ତାଙ୍କ ମୋବାଇଲ ଲୋକେଶନ୍‌ରୁ ପାହାଡ଼ଗଞ୍ଜ୍‌ ପୋଲିସ ଜାଣିପାରିଥିଲେ ଯେ, ସେ ଯମୁନା ନଦୀର ସିଗ୍ନେଚର ବ୍ରିଜ୍‌ଠାରେ ଅଛନ୍ତି। ତୁରନ୍ତ ଏନେଇ ଉତ୍ତରଦିଲ୍ଲୀର ତିମାରପୁର ଥାନା ପୋଲିସଙ୍କୁ ଖବର ଦିଆଯାଇଥିଲା।

ପୋଲିସ ଟିମ୍‌ ବ୍ରିଜ୍‌ ପାଖରେ ପହଞ୍ଚିଥିଲେ। ବ୍ରିଜ୍‌ ଉପରେ ଠିଆ ହୋଇ ନଦୀକୁ ଡେଇଁବାକୁ ଯାଉଥିବା ଯୁବକ ପୋଲିସ ଟିମ୍‌କୁ ଦେଖି ହଡ଼ବଡେଇ ଯାଇଥିଲେ। ସେ ବିଳମ୍ବ ନ କରି ନଦୀଜଳକୁ ଲମ୍ଫ ପ୍ରଦାନ କରିଥିଲେ। ତେବେ ପୋଲିସ ଟିମ୍‌ର ୩ ଜଣ ସଦସ୍ୟ ପାଣି ଡେଇଁ ତାଙ୍କର ଜୀବନ ରକ୍ଷା କରିଥିଲେ।

ଯୁବକଙ୍କ ନାମ ମୋନିଷ ଦୀକ୍ଷୀତ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତାଙ୍କର ବୟସ ୨୦ ବର୍ଷ। ସେ ନ୍ୟାଶନାଲ ଲ ଇନଷ୍ଟ୍ୟୁଟରେ ଆଇନ ପଢୁଛନ୍ତି। ତାଙ୍କୁ ଉଦ୍ଧାର କରି ପୋଲିସ ଟିମ୍‌ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସେ ସୁସ୍ଥ ଥିବା ପୋଲିସ କହିଛି।

Share