Categories: ଜାତୀୟ

ପୁଅ ପାଇଁ ପୋଲିସ ସାଜିଲେ ଚୋର!

ବେଙ୍ଗାଲୁରୁ,୨୫।୨: ନିକଟରେ କର୍ନାଟକ ପୋଲିସ ଚୋରି ଅପରାଧରେ ଜଣେ ପୂର୍ବତନ ପୋଲିସକୁ ଗିରଫ କରିଛି।ପୁଅ କର୍କଟ ରୋଗରେ ପୀଡିତ ହେବା ପରେ ତାଙ୍କ ଚିକତ୍ସା ପାଇଁ ଅଭିଯୁକ୍ତ ଏହି ଅପରାଧ କରିଥିବା ପୋଲିସ ଏଠାରେ ସୂଚନା ଦେଇଛି। ଗିରଫ ବ୍ୟକ୍ତିଙ୍କ ନାମ ୬୧ ବର୍ଷିୟ ନାଜିର ଅହମ୍ମଦ ଇମ୍ରାନ ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ନାଜିର ଭାରତ ଆସିବା ପୂର୍ବରୁ ବହାରିନରେ ନଅ ବର୍ଷ ପର୍ଯ୍ୟନ୍ତ ପୋଲିସ କର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ।
୧୪ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ନାଜିର ଅହମ୍ମଦ ଇମ୍ରାନଙ୍କୁ ଗିରଫ କରାଯାଇଛି। ତାଙ୍କ ପୁଅ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ନାଜିର ଏକ ପେଶାଦାର କାର ଚୋର ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଟଙ୍କା ବ୍ୟବସ୍ଥା କରିବାକୁ ପଡିଲା। ୨୦୦୮ରେ ଅଶୋକନଗର ପୋଲିସ ମଧ୍ୟ ନାଜିରଙ୍କୁ ଗିରଫ କରିଥିଲା। ତେବେ ଜାମିନରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ତେବେ ଜେଲରୁ ବାହାରିବା ପରେ ମଧ୍ୟ ସେ ଅପରାଧ ଜାରି ରଖିଥିଲେ। ନିକଟରେ, ଏକ ସେବା କେନ୍ଦ୍ରରୁ ଏକ ଏସୟୁଭି ଉଠାଇ ନେବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ ଗିରଫ କରିଛି। ତଦନ୍ତ ସମୟରେ ସେ ତାଙ୍କ ପୁଅର ଚିକିତ୍ସା ପାଇଁ ଏହି ଅପରାଧ କରିଥିବା କହିଛନ୍ତି। ସେ ଗାଡି ଉଠାଇ ନକଲି ଡକ୍ୟୁମେଣ୍ଟ ତିଆରି କରି ବିକ୍ରି କରୁଥିଲେ। ବେଙ୍ଗାଲୁରୁ ସହର ଏବଂ କେରଳର ବିଭିନ୍ନ ସ୍ଥାନରେ ନାଜିର ଗାଡି ଉଠାଇବାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ଏବେ ତଦନ୍ତ ଜାରି ରହିଛି।

Share