ଆଇପିଏଲ୍‌ ବେଟିଂରେ ପୋଲିସର ସେଟିଂ

ସମ୍ବଲପୁର,୧।୫(ବ୍ୟୁରୋ): ପ୍ରାୟ ୬୦ ଦିନିଆ ଆଇପିଏଲ୍‌ ମ୍ୟାଚରେ ଦେଶ ତଥା ଦେଶ ବାହାରେ ବେଟିଂ ଚାଲୁଛି। ସମ୍ବଲପୁର ଜିଲାରେ ମଧ୍ୟ ପ୍ରତିଦିନ ପ୍ରାୟ ୨ କୋଟି ଟଙ୍କା କାରବାର ହେଉଥିବା ଜଣାପଡିଛି। ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ହେଉଥିବାରୁ ସହର ଓ ଗ୍ରାମାଞ୍ଚଳ ସବୁଠାରେ ଖେଳ ଚାଲିଛି। ଅନ୍‌ଲାଇନ ଯୋଗୁ ଏବେ ବୁକି ଓ ଖେଳୁଥିବା ବ୍ୟକ୍ତିଙ୍କୁ ସୁବିଧା ହେଉଛି। ବାଜି ଜିତିବା ପରେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ମିଳିପାରୁଛି। ପୂର୍ବରୁ ଧନୁପାଲି ଥାନା ଅଞ୍ଚଳର ଜଣେ ବୁକି ରହିଥିବା ବେଳେ ଏବେ ଟାଉନ ଥାନା ଅଞ୍ଚଳର ଜଣେ ବୁକି ନୂତନ ଭାବେ କାମ କରୁଛନ୍ତି। ଦୁଇଜଣ ବୁକିଙ୍କ ବିବାଦ ଯୋଗୁ ଏବେ ପୋଲିସକୁ ଫାଇଦା ହୋଇଛି ବୋଲି ଅଭିଯୋଗ ହେଉଛି। ଚଢ଼ାଉ ପୂର୍ବରୁ ପୋଲିସ ସୂଚନା ଦେବାରୁ ଜଣେ ବୁକି ରାଜ୍ୟ ବାହାରକୁ ଯାଇ ବେଟିଂ କରୁଛନ୍ତି। ଅନ୍ୟପଟେ ଏପ୍ରିଲ ୨୫ ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ଅନ୍ୟ ବୁକି ଗୋଷ୍ଠୀର ଦୁଇଜଣ ଯୁବକଙ୍କୁ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରେ ଜଣେ ଅଇଁଠାପାଲି ଥାନା ଅଞ୍ଚଳର ଡାକ୍ତରଙ୍କ ପୁଅ ଓ ଅନ୍ୟଜଣେ ଟାଉନ ଥାନା ମାରୱାଡି ପଡାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ ରହିଥିଲେ। ଏମାନେ ୪ଦିନ ଅଟକ ରହିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ ଡାକ୍ତରଙ୍କ ପୁଅ ଶୁଭମ୍‌ ସାହୁ ଓ ଝାରସୁଗୁଡ଼ା ଜିଲା ରେଳଫାଟକ ଅଞ୍ଚଳର ହରିଶ ସାହୁଙ୍କୁ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ୧ଲକ୍ଷ ୯୨ହଜାର ଟଙ୍କା, ବ୍ରେସ୍‌ଲେଟ, ଏକ କାର୍‌ (ଓଆର୍‌୧୫ଆର୍‌-୩୬୧୭) ଜବତ କରିଛି। ଏହାସହ ୭ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯାଇଛି, ଯେଉଁଥିରେ ୪୦ଲକ୍ଷ ୧୦,୭୪୬ଟଙ୍କା ରହିଥିବା ପୋଲିସ କହିଛି। ଏ ନେଇ ଥାନାରେ ଦଫା ୪୨୦, ୪୬୫, ୪୬୮, ୪୭୧, ୧୨୦/ବିରେ ମାମଲା (ନଂ.୧୯୮/୨୧) ରୁଜୁ ହୋଇଛି। ଜାମିନ ନାମଞ୍ଜୁର ହେବାରୁ ୨ଜଣଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ହେଲେ ପୋଲିସ ବ୍ୟବସାୟୀଙ୍କ ପୁଅଙ୍କୁ ଛାଡିଦେଇଛି। ଏହାକୁ ନେଇ ଏବେ ପୋଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ କରାଯାଉଛି। ୧୦ ଲକ୍ଷ ଟଙ୍କାର ମୂଲଚାଲ କରି ବେଟିଂରେ ପୋଲିସ ସେଟିଂ କରି ଛାଡିଦେଇଥିବା ଅଭିଯୋଗ ହୋଇଛି। ଜଣେ ପ୍ରତିଷ୍ଠିତ ତଥା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ସହିତ ସୁସମ୍ପର୍କ ରଖିଥିବା ବ୍ୟକ୍ତି ଏଥିରେ ମଧ୍ୟସ୍ଥ କରିଥିବା ଜଣାପଡିଛି।
ଅଟକ ବ୍ୟବସାୟୀଙ୍କ ପୁଅଙ୍କୁ ଜେରା କରାଯାଇଥିଲା। କୌଣସି ପ୍ରମାଣ ନ ମିଳିବାରୁ ଛାଡି ଦିଆଗଲା। ପ୍ରାୟ ସମସ୍ତ ଟ୍ରାଞ୍ଜାକ୍ସନ ଜମା ଖାତାରେ ହୋଇଥିଲା ବୋଲି ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି କହିଛନ୍ତି। ମୋବାଇଲ ଓ ଲାପଟପ୍‌ ଜରିଆରେ ଖେଳ ହୋଇଥାଏ। ହେଲେ ପୋଲିସ କିଭଳି ବ୍ୟବସାୟୀଙ୍କ ପୁଅ ବିରୋଧରେ ପ୍ରମାଣ ଯୋଗାଡ କରିପାରିଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଅନ୍ୟପଟେ ବେଟିଂ ମାମଲାରେ ଅନେକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। କେତେଜଣ ଲୋକଙ୍କ ଜମାଖାତା ମଧ୍ୟ ଯାଞ୍ଚ କରାଯାଇଛି। ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାଞ୍ଚ ସମୟରେ ବିଭିନ୍ନ ଆକାଉଣ୍ଟରେ ପ୍ରାୟ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କାରବାର ହୋଇଥିବା ପୋଲିସ ଜାଣିବାକୁ ପାଇଛି। ଏହି ଘଟଣାରେ ଜଣେ ରାଜନେତାଙ୍କ ପୁଅଙ୍କୁ ମଧ୍ୟ ପୋଲିସ ଡାକି ପଚରାଉଚରା କରିିଛି। ଏ ସମ୍ପର୍କରେ ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ୨ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ରାଜ୍ୟ ବାହାରୁ ବୁକିମାନେ ରହି ଖେଳ ଚଳାଉଛନ୍ତି।

Share