Categories: ଜାତୀୟ

ପୋଲିସ ଷ୍ଟେଶନ ସିସିଟିଭିରେ ଭିଡ଼ିଓ-ଅଡ଼ିଓ ଫୁଟେଜ ରହିବା ଜରୁରୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୨୮।୫ : ପୋଲିସ ଷ୍ଟେଶନରେ ଥିବା ସିସିଟିଭି କ୍ୟାମେରାରେ ଉଭୟ ଅଡିଓ ଏବଂ ଭିଡିଓ ଫୁଟେଜ ରହିବା ଜରୁରୀ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେଠାରେ ଅଡିଓ ସିଷ୍ଟମ କାହିଁକି ସ୍ଥାପନ କରାଯାଇ ନାହିଁ ତାହାର ଜବାବ କୋର୍ଟ ସ୍ଥାନୀୟ ପୋଲିସ ଷ୍ଟେଶନଠାରୁ ଲୋଡିଛନ୍ତି।

ଜଷ୍ଟିସ ଅନୁ ମଲହୋତ୍ରା, ମସଜିଦର ଇମାମ ଭାବରେ ତାଙ୍କର ଅଧିକାରୀକ ତଥା ଧାର୍ମିକ ଦାୟିତ୍ୱ ତୁଲାଇବାରେ ଆବେଦନକାରୀ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ସମ୍ପର୍କରେ ଏକ ଆବେଦନ ଉପରେ ବିଚାର କରୁଥିବାବେଳେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପୋଲିସ ଷ୍ଟେଶନ, ଲକ-ଅପ୍‌, ରିସେପଶନ୍‌, କରିଡର, ଇନ୍ସପେକ୍ଟରଙ୍କ ରୁମ, ଷ୍ଟେସନ ହଲ ଆଦିଠାରେ ସିସିଟିଭି ଲଗାଯିବା ଆବଶ୍ୟକ।କୋର୍ଟ କହିଛନ୍ତି ଯେ ନାବି କରିମ ପୋଲିସ ଷ୍ଟେଶନର ଭିଡିଓ ଫୁଟେଜ ସଂରକ୍ଷିତ ଥିବାବେଳେ ଅଡିଓ ଫୁଟେଜ ଉପଲବ୍ଧ ନାହିଁ।

ଆବେଦନକାରୀ ତାଙ୍କ ପିଟିଶନରେ ଅଭିଯୋଗ କରିଛନ୍ତି ଯେ ମସଜିଦକୁ ବେଆଇନ ଭାବେ ପରିଚାଳନା କରୁଥିବା ଜଣେ ବ୍ୟକ୍ତି ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଥିଲେ ଏବଂ ପୋଲିସ ଷ୍ଟେସନରେଏସଏଚଓଙ୍କ ଉପସ୍ଥିତିରେ ତାଙ୍କ ବିରୋଧରେ ଅମାନୁଷିକ ଏବଂ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ସେ କହିଛନ୍ତି ଯେ ପୁରା ଘଟଣାଟି ଏସଏଚଓଙ୍କ ରୁମ ଭିତରେ ସ୍ଥାପିତ ସିସିଟିଭି କ୍ୟାମେରାରେ ଧରାପଡିଛି। କିନ୍ତୁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଉଭୟ ଅଡିଓ ଏବଂ ଭିଡିଓ ଫୁଟେଜକୁ ସଂରକ୍ଷଣ କରିବାକୁ ସେ ଅନୁରୋଧ କରିଥିଲେ।

Share