ବାରଙ୍ଗ,୧୦ା୨(ଡି.ଏନ୍.ଏ.): ମେଣ୍ଢାଶାଳ ଅଞ୍ଚଳରେ ବିଶୃଙ୍ଖଳା ତଥା ଡେରାସ ସରକାରୀ କୃଷି ଫାର୍ମରେ କାର୍ଯ୍ୟରତ ୬ଶହ କୃଷି ଶ୍ରମିକ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବାରମ୍ବାର ବିଶୃଙ୍ଖଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୯୮୮ରେ ମେଣ୍ଢାଶାଳଠାରେ ଏକ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା। ସେ ସମୟରେ ଉପଯୁକ୍ତ ଗୃହ ନ ମିଳିବାରୁ ଡେରାସ ସରକାରୀ କୃଷି ଫାର୍ମର ଏକ ପରିତ୍ୟକ୍ତ ଘରେ ଫାଣ୍ଡି କାର୍ଯ୍ୟକ୍ଷମ କରାଯାଇ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇ ପାରିଥିଲା। ଗତ ଫନି ବାତ୍ୟାରେ ଗୃହଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇ ମାଟିରେ ମିଶିଯାଇଥିଲା। ପରେ ଡେରାସ ଫାର୍ମ କେନ୍ଦ୍ରର ଇଡ୍କୋ ଦ୍ୱାରା ନିର୍ମିତ ଏକ ନୂତନ ସ୍ବାସ୍ଥ୍ୟକେନ୍ଦ୍ର ବାରଣ୍ଡାରେ ୨ମାସ ପର୍ଯ୍ୟନ୍ତ ଫାଣ୍ଡି ଚାଲିଥିଲା। ପରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ୟୁପି ସ୍କୁଲ ଗୃହକୁ ସ୍ଥାନାନ୍ତର କରାଯାଇ ଏବେ ସେଠାରେ ଫାଣ୍ଡି କାର୍ଯ୍ୟ କରୁଛି। ଫାଣ୍ଡି ପାଇଁ ସରକାରଙ୍କ ପକ୍ଷରୁ ସ୍ଥାୟୀ ଜାଗା ପ୍ରଦାନ କରାଯାଇ ନ ଥିବାରୁ ଏବେ ବି ଫାଣ୍ଡିଟି ସ୍କୁଲ ଗୃହରେ ଚାଲୁଛି। ନିକଟରେ ଗୋଠପାଟଣାରେ ନୂତନ ଫାଣ୍ଡି ପ୍ରତିଷ୍ଠା କରାଯାଇ ନୂତନ ଗୃହ ନିର୍ମାଣ କରାଯାଉଥିବାବେଳେ ୩୫ବର୍ଷ ପରେ ମଧ୍ୟ ମେଣ୍ଢାଶାଳ ଫାଣ୍ଡି ପାଇଁ ସ୍ଥାୟୀ ଗୃହ ନିର୍ମାଣ କରାଯାଇ ପାରିନାହିଁ। ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।