Categories: ଫୁରସତ

‘ଟିପି ଟିପି ଟପ୍‌’ର ସହାୟତା ନେଲା ପୋଲିସ

ମୁମ୍ବାଇ: ପିଲାଦିନର ସ୍ମୃତି ଭାରି ମଧୁର। ସେଥିପାଇଁ ତ ଅତୀତର ଅଭୁଲା ସ୍ମୃତିକୁ ମନେପକାଇ ରୋମାଞ୍ଚିତ ହୋଇ ଉଠନ୍ତି ଅନେକ। ପିଲାଦିନର ଏମିତି ଏକ ଖେଳ ହେଉଛି ଟିପି ଟିପି ଟପ୍‌। ଏହି ଖେଳ ମାଧ୍ୟମରେ ପିଲାମାନେ ବେଶ୍‌ ମଜା କରିଥାନ୍ତି। ପିଲାଦିନର ଏହି ଖେଳର ସାହାରା ନେଇ ଏବେ ପୋଲିସ୍‌ ଆରମ୍ଭ କରିଛି ସଚେତନତା। ଘରୁ ବାହାରିବା ମାତ୍ରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ, ଏହି କଥା ଜଣାଇବା ପାଇଁ ମହାରାଷ୍ଟ୍ର ପୋଲିସ ଏକ ଭିନ୍ନ ଢଙ୍ଗରେ ଏବେ ସୋସିଆଲ୍‌ ମିଡିଆରେ ପିଲାଦିନର ଖେଳ ‘ଟିପି ଟିପି ଟପ୍‌’ର ସାହାରା ନେଇଛି।
ମହାରାଷ୍ଟ୍ର ପୋଲିସ୍‌ ଟୁଇଟରରେ ଟିପି ଟିପି ଟପ୍‌ର ଏକ ଫଟୋ ଶେୟାର କରି ମାସ୍କର ଗୁରୁତ୍ୱ ପ୍ରଦର୍ଶନ କରିଛି। ଏହି ଖେଳରେ କାଗଜ ଖଣ୍ଡର ବିଭିନ୍ନ ଖଣ୍ଡକୁ ଏକ ଭିନ୍ନ ଶୈଳୀରେ ଭାଙ୍ଗ କରି ରଖାଯାଇଥାଏ। ଖେଳର ନିୟମ ଅନୁସାରେ କାଗଜ ଖଣ୍ଡର ବିଭିନ୍ନ ଭାଗରୁ ଏକ ସ୍ବତନ୍ତ୍ର ରଙ୍ଗର ଲେଖାକୁ ବାଛିବାକୁ ହୋଇଥାଏ। ପ୍ରକୃତ ଖେଳରେ ୪ଟି ବିଭାଗ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିଥାଏ। କିନ୍ତୁ ମହାରାଷ୍ଟ୍ର ପୋଲିସ୍‌ ଶେୟାର କରିଥିବା ଖେଳରେ ସମସ୍ତ ଅପଶନ୍‌ରେ କେବଳ ମାସ୍କକୁ ହିଁ ରିପିଟ୍‌ କରାଯାଇଛି। ତେଣୁ ଲୋକେ କେବଳ ମାସ୍କକୁ ହିଁ ବାଛିପାରିବେ। ପୋଲିସ୍‌ ଏହି ଖେଳ ମାଧ୍ୟମରେ ଲୋକଙ୍କୁ ମାସ୍କର ଗୁରୁତ୍ୱ ବିଷୟରେ କହିଛି। ତେବେ ପୋଲିସର ଏଭଳି ଢଙ୍ଗରେ ଟୁଇଟ୍‌ କରିବାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ସୋସିଆଲ୍‌ ମିଡିଆରେ ପୋଲିସ୍‌ ଏହାକୁ ଶେୟାର କରିବାର ମାତ୍ର ଗୋଟିଏ ଦିନ ପରେ ଏହାକୁ ପାଖାପାଖି ହଜାରେ ଲୋକ ଲାଇକ୍‌ କରିବା ସହ ସୁନ୍ଦର କମେଣ୍ଟ ଦେଇଛନ୍ତି।

Share