ପ୍ୟାରିସ,୯ା୭ : ଜର୍ମାନୀର ବୋରା ହାନ୍ସଗ୍ରୋ ଟିମ୍ର ନିଲ୍ସ ପୋଲିଟ୍ ଟୁର ଡି’ ଫ୍ରାନ୍ସ ସାଇକେଲ ରେସ୍ର ଦ୍ୱାଦଶ ଷ୍ଟେଜ୍ ଜିତିଛନ୍ତି। ୧୫୯.୪ କିଲୋମିଟର ବିଶିଷ୍ଟ ରେସ୍କୁ ସେ ୩ ଘଣ୍ଟା ୨୨ ମିନିଟ୍ ୧୨ ସେକେଣ୍ଡରେ ଶେଷ କରିଥିଲେ। ତାଙ୍କ ପଛକୁ ୩୧ ସେକେଣ୍ଡ ପଛରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ସ୍ପେନର ଇମାନୋଲ ଏର୍ଭିଟି (ମୋଭିଷ୍ଟାର) ଓ ଅଷ୍ଟ୍ରେଲିଆର ହ୍ୟାରି ସ୍ବିନି (ଲୋଟୋ ସାଉଡାଲ) ରହିଥିଲେ। ସ୍ବିଡେନର ଷ୍ଟିଫାନ କୁଙ୍ଗ୍ ଚତୁର୍ଥ ଓ ସ୍ଲୋଭେନିଆର ଲୁକା ମେଜଗେସ୍ ପଞ୍ଚମ ହୋଇଥିଲେ। ସ୍ଲୋଭେନିଆର ଟାଡେଜ୍ ପୋଗାକାର ୧୫ ମିନିଟ ପଛରେ ରହିଥିଲେ ମଧ୍ୟ ଓଭରଅଲ୍ ଅଗ୍ରଣୀ ସହ ୟେଲୋ ଜର୍ସି ହାସଲ କରିଛନ୍ତି। ପୋଲିଟ କହିଛନ୍ତି ଟୁର୍ ଡି’ ଫ୍ରାନ୍ସରେ ଏକ ଷ୍ଟେଜ୍ ଜିତିବା ତାଙ୍କର ଏକ ସ୍ବପ୍ନ ଥିଲା। ଆଣ୍ଠୁରେ ଆଘାତପ୍ରାପ୍ତ ଯୋଗୁ ୩ ଥର ବିଶ୍ୱ ଚାମ୍ପିୟନ ବୋରା ହାନ୍ସଗ୍ରୋ ପିଟର ସାଗନ ରେସ୍ ଆରମ୍ଭ ହେବା ପୂର୍ବରୁ ଓହରିଯାଇଥିଲେ।