ନାବାଳକଙ୍କୁ ଗୋଇଠା ମାରି ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୨।୭(ବ୍ୟୁରୋ): ଲକ୍‌ଡାଉନ୍‌ରେ ଚା’ ଦୋକାନ ଖୋଲିଥିବା ଜଣେ ନାବାଳକଙ୍କୁ ଗୋଇଠା ମାରିବା ପୋଲିସ ପାଇଁ ମହଙ୍ଗା ପଡ଼ିଛି। ଗୁରୁବାର ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଡିସିପି ନିଲମ୍ବିତ କରିଛନ୍ତି। ସେ ହେଲେ ବଡ଼ଗଡ଼ ଥାନା ୨୯ ନଂ. ପିସିଆର ଭ୍ୟାନ୍‌ ଡ୍ରାଇଭର ତଥା ହୋମ୍‌ଗାର୍ଡ ଅଜୟ କୁମାର ବିଶ୍ୱାଳ। ଏଥିସହ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ଘଟଣାର ସତ୍ୟାସତ୍ୟ ରହିଥିଲେ ନିଲମ୍ବିତ ହୋମ୍‌ଗାର୍ଡଙ୍କୁ ବହିଷ୍କୃତ କରାଯିବ ଓ ଅନ୍ୟ ଦୁଇଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।
ରାଜଧାନୀ ଭୁବନେଶ୍ୱରରେ ଏହି ସମ୍ବେଦନଶୀଳ ଘଟଣା ଘଟିଥିଲା। ମଙ୍ଗଳବାର ଦିନ ପ୍ରାୟ ଗୋଟାଏରେ ଶହୀଦନଗର ଥାନା ଅନ୍ତର୍ଗତ କେଶୁରା ଅଞ୍ଚଳରେ ଏକ ଚା’ ଦୋକାନ ଖୋଲା ରହିଥିଲା। ଲକ୍‌ଡାଉନବେଳେ ଧାର୍ଯ୍ୟ ସମୟ ପରେ ଦୋକାନ ଖୋଲା ରହିଥିବାରୁ ପାଟ୍ରୋଲିଂରେ ଥିବା ପିସିଆର୍‌ କର୍ମଚାରୀମାନେ ଦୋକାନ ନିକଟରେ ପହଞ୍ଚତ୍ଥିଲେ। ପୋଲିସ ଗାଡ଼ିକୁ ଦେଖି ଦୋକାନରେ ଥିବା ନାବାଳକ ଜଣକ ଭୟରେ ଲୁଚି ଯାଇଥିଲେ। ତେବେ କେହି ନ ଥିବା ଦେଖି ପିସିଆର୍‌ କର୍ମଚାରୀ ଦୋକାନ ଭିତରେ ପଶି କ୍ଷୀର, ବ୍ରେଡ୍‌ ଆଦି ବିଭିନ୍ନ ଜିନିଷ ବସ୍ତାରେ ପୂରାଇ ନେଇଯାଉଥିଲେ। ଏହା ଦେଖି ନାବାଳକ ଜଣକ ବାହାରକୁ ଆସି ଦୋକାନରୁ କାହିଁକି ଜିନିଷ ନେଇ ଯାଉଛ ବୋଲି କହିଥିଲେ। ଏହା ଶୁଣି ପିସିଆର୍‌ ଡ୍ରାଇଭର ଅଜୟ ଉକ୍ତ ନାବାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବାପାଙ୍କ ଦେହ ଅସୁସ୍ଥ ଥିବାରୁ ଘର ଚଳାଇବା ପାଇଁ ଦୋକାନ ଖୋଲିଛି ବୋଲି ନାବାଳକ ଜଣକ କହିବା ସହ ଜିନିଷପତ୍ର ନ ନେବାକୁ ନେହୁରା ହୋଇଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ। ଗୋଇଠା ପରେ ଗୋଇଠା ମାରି ଜିନିଷ ନେଇ ପଳାଇଥିଲେ। ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ପୋଲିସର ଏଭଳି ଅମାନବୀୟ କାଣ୍ଡ କଏଦ ହୋଇଥିଲା। ଗୁରୁବାର ଉକ୍ତ ଭିଡିଓ ଭାଇରାଲ ହୋଇଥିଲା। ପ୍ରାୟ ୨୦ ସେକେଣ୍ଡରେ ହୋମ୍‌ଗାର୍ଡ ଅଜୟ ନାବାଳକଙ୍କୁ ୧୦ରୁ ଅଧିକ ଥର ଗୋଇଠା ମାରିଛନ୍ତି ଓ ଅନ୍ୟ ଦୁଇ ପୋଲିସ ଏହାକୁ ଦେଖୁଥିବା ଦୃଶ୍ୟ ରହିଛି। ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ପରେ ଡିସିପି ପଦକ୍ଷେପ ନେଇଛନ୍ତି।

Share