ଭୁବନେଶ୍ୱର,୨।୩(ସୁନିତ୍ ମିଶ୍ର): ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଶୁକ୍ରବାର ‘ନବୀନ ହଟାଅ ଓଡ଼ିଶା ବଞ୍ଚାଅ’ ବିକ୍ଷୋଭ ସଭା ଆୟୋଜିତ ହେବା ସହ ‘ନବୀନ ନିବାସ ଘେରାଉ’ ରାଲି ମଧ୍ୟ କରାଯାଇଛି। ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ୍ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବି.ଭି. ଶ୍ରୀନିବାସ ଯୋଗଦେଇଛନ୍ତି। ବିକ୍ଷୋଭ ସମାବେଶ ପରେ କଂଗ୍ରେସ ନେତା ଓ କର୍ମୀମାନେ ବିଭିନ୍ନ ବେରୋଜଗାରି ଏବଂ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ନବୀନ ନିବାସ ଘେରାଉ କରିବା ପାଇଁ ମାଷ୍ଟରକ୍ୟାଣ୍ଟିନଠାରୁ ବାହାରିଥିଲେ। ଏଥିରେ ଦଳର ବହୁ ବରିଷ୍ଠ, ଯୁବ, ଛାତ୍ର ଓ ମହିଳାନେତ୍ରୀ ଏବଂ କର୍ମୀମାନେ ଯୋଗଦେଇଥିଲେ। ଏହି ରାଲି ନବୀନ ନିବାସ ଅଭିମୁଖେ ଯାଉଥିବାବେଳେ ରାଜମହଲ ଛକଠାରେ ପୋଲିସ ଏବଂ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଯୁବ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିଲେ। ଏହାପରେ ବହୁ ଯୁବ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତାଙ୍କୁ ପୋଲିସ ଘଟଣାସ୍ଥଳରୁ ଉଠାଇନେଇ ପରବର୍ତ୍ତୀ ସମୟରେ ଛାଡ଼ିଦେଇଥିବା ଜଣାପଡ଼ିଛି।