କାଠମାଣ୍ଡୁ,୨୦।୧୨: ନେପାଳରେ ରାଜନୈତିକ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ରବିବାର ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି କ୍ୟାବିନେଟ୍ର ଏକ ଜରୁରିକାଳୀନ ବୈଠକ ଡକାଇ ସଂସଦ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍ ପ୍ରସ୍ତାବକୁ ମଞ୍ଜୁରୀ ପାଇଁ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ପାଖକୁ ପଠାଇ ଦିଆଯାଇଛି। ଗତ ମଙ୍ଗଳବାର ଓଲିଙ୍କ କ୍ୟାବିନେଟ୍ ପକ୍ଷରୁ ସମ୍ବିଧାନିକ ପରିଷଦ ଅଧିନିୟମ ସମ୍ପର୍କିତ ଏକ ଅଧ୍ୟାଦେଶ ଜାରି କରାଯାଇଥିଲା। ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମଧ୍ୟ ମିଳିଥିଲା। ଏହାକୁ ପ୍ରତ୍ୟାହାର କରିବା ଲାଗି ଓଲିଙ୍କ ଉପରେ ଚାପ ପଡୁଥିଲା। ଜରୁରିକାଳୀନ ବୈଠକରେ ଓଲି ମଞ୍ଜୁରୀ ମିଳିଥିବା ଅଧ୍ୟାଦେଶକୁ ବଦଳାଇବା ଲାଗି ଆଲୋଚନା କରାଯିବ ବୋଲି ଆଶା କରାଯାଉଥିଲା। ତେବେ ଓଲି ସଂସଦ ଭଙ୍ଗ ନିଷ୍ପତ୍ତି ନେଇଥିଲେ। ନେପାଳ ସମ୍ବିଧାନରେ ସଂସଦ ଭଙ୍ଗ ପାଇଁ ସୁପାରିଶ୍ କରିବା ଭଳି ପ୍ରାବଧାନ ନାହିଁ। ଏନେଇ ଓଲି ସଚିବାଳୟ ସଦସ୍ୟ ରାମ ବାହାଦୂର ଥାପା ଏବଂ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିସାରିଛନ୍ତି। ଓଲିଙ୍କ ଏଭଳି ପଦକ୍ଷେପକୁ ଅଦାଲତରେ ଚ୍ୟାଲେଞ୍ଜ କରାଯିବାର ସମ୍ଭାବନା ରହିଥିବା କୁହାଯାଉଛି।