ଭାରତୀୟ ସ୍ଥଳସେନାର ପୂର୍ବତନ ମୁଖ୍ୟ ଜେନେରାଲ ବିପିନ ରାଓ୍ବତ୍ଙ୍କୁ ଅବସର ପରେ ତତ୍କାଳ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ନିଯୁକ୍ତ କରାଯାଇଥିଲା। ସେ ପ୍ରତ୍ୟକ୍ଷ ଭାବେ କୌଣସି ଯୁଦ୍ଧ ଲଢ଼ି ନ ଥିଲେ ହେଁ ତିନି ସଶସ୍ତ୍ର ବାହିନୀର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିବାର ସୁଯୋଗ ପାଇଥିଲେ। ଦୁଇଜଣ ସେନା ଅଧିକାରୀଙ୍କ ବରିଷ୍ଠତାକୁ ଅଣଦେଖା କରି ତାଙ୍କୁ ମିଳିଥିବା ନିଯୁକ୍ତି ପଛରେ ରାଜନୈତିକ ପୃଷ୍ଠପୋଷକତା କାମ କରିଥିବା ବିବେଚନା କରାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଘନିଷ୍ଠତା ଓ ଭାଜପାକୁ ସୁହାଇଲା ଭଳି ମନ୍ତବ୍ୟ ଦେଇ ରାଓ୍ବତ୍ ଅନେକ ସମୟରେ ବିବାଦୀୟ ହୋଇଥିଲେ। ସେନାରେ ଥିବା ପଦାଧିକାରୀମାନେ କୌଣସି ରାଜନୈତିକ ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଆର୍ମି ରୁଲ୍ସ, ୧୯୫୪ର ଚାପ୍ଟର ୪ରେ ବାରଣ କରାଯାଇଛି। ଏହାସତ୍ତ୍ୱେ ଜେନେରାଲ ରାଓ୍ବତ୍ ତାଙ୍କ ୪୨ ବର୍ଷର କ୍ୟାରିୟରରେ ଅନେକ ରାଜନୈତିକ ମନ୍ତବ୍ୟ ଦେଇ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିଲେ। ଏପରି କି ପଡ଼ୋଶୀ ପାକିସ୍ତାନ, ଚାଇନା ଓ ମ୍ୟାନ୍ମାର ବିରୋଧରେ ରାଓ୍ବତ୍ଙ୍କ ମନ୍ତବ୍ୟ ତାଙ୍କୁ ବିବାଦ ଘେରକୁ ଟାଣିନେଇଥିଲା। ଏସବୁକୁ ଅନୁଧ୍ୟାନ କଲେ ସ୍ବର୍ଗତ ରାଓ୍ବତ୍ ଜଣେ ପଲିଟିକାଲ ଜେନେରାଲ ଥିଲେ ବୋଲି ମନେହୁଏ।
କିଛି ଅନୁତ୍ତରିତ ପ୍ରଶ୍ନ
ଭାରତୀୟ ବାୟୁସେନା ଆଗରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଦେଶର ସିଡିଏସ୍ ଜେନେରାଲ ବିପିନ ରାଓ୍ବତ୍ଙ୍କ ଭଳି ଭିଭିଆଇପିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର କିପରି ଦୁର୍ଘଟଣାଗ୍ରସ୍ତ ହେଲା। ଯାତ୍ରା ପୂର୍ବରୁ ଏମ୍ଭି-୧୭ଭି୫ର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ଜରୁରୀ ଥିଲା। ଏଥିସହ ଏକ ଷ୍ଟାଣ୍ଡବାଏ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ହୋଇ ରହିବା କଥା। ପାଗର ସ୍ଥିତି କିପରି ରହିଛି ତାହା ମଧ୍ୟ ଠିକ୍ ଭାବେ ଯାଞ୍ଚ କରାଯିବା ଆବଶ୍ୟକ ଥିଲା। ଏହି ଘଟଣାରେ ଓ୍ବେଲିଂଟନର ପାଗ ଯଦି ଖରାପ ଥିଲା ତେବେ ସିଡିଏସ୍ଙ୍କ ଗସ୍ତକୁ କାହିଁକି ସ୍ଥଗିତ ରଖାଗଲା ନାହିଁ ବୋଲି ଭାରତୀୟ ବାୟୁସେନାର ଜଣେ ଅଧିକାରୀ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ବୈଷୟିକ ତ୍ରୁଟି କିମ୍ବା ଖରାପ ପାଗ ଯୋଗୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ। ତାଙ୍କ ହିସାବରେ ଯଦି ସବୁ ସ୍ବାଭାବିକ ଥିଲା ତେବେ ହେଲିକପ୍ଟର କୁନ୍ନୁର ନିକଟତର ହେବାବେଳକୁ ଏହା କମ୍ ଉଚ୍ଚତାରେ ଉଡ଼ୁଥାଇପାରେ ଅଥବା ମେଘ ଯୋଗୁ ପାହାଡ଼ିଆ ଅଞ୍ଚଳକୁ ଚାଲିଯାଇଥାଇପାରେ। ବ୍ଲାକ୍ବକ୍ସ ମିଳିଲେ ଦୁର୍ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।
ଏମ୍ଆଇ-୧୭ଭି୫ର ବିଶେଷତ୍ୱ
ରୁଷିଆରେ ନିର୍ମିତ ଏକ ମିଲିଟାରି ପରିବହନକାରୀ ହେଲିକପ୍ଟର। ଏହାକୁ ସେନା ମୁତୟନ, ଅସ୍ତ୍ରଶସ୍ତ୍ର ପରିବହନ, ଅଗ୍ନି ନିର୍ବାପନ କାର୍ଯ୍ୟ, ପାଟ୍ରୋଲିଂ, ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଏ। ବିଶ୍ୱର ସର୍ବୋତ୍ତମ ମିଲିଟାରି ଟ୍ରାନ୍ସପୋର୍ଟ ହେଲିକପ୍ଟର ମଧ୍ୟରେ ଏହା ପରିଗଣିତ। ଏମ୍-ଆଇ ୮ର ଏହା ଉନ୍ନତ ଭର୍ସନ।
ମିଡିୟମ-ଲିଫ୍ଟର ହେଲିକପ୍ଟର ଯେ କୌଣସି ପ୍ରତିକୂଳ ସ୍ଥିତିର ସାମ୍ନା କରିବାକୁ ସକ୍ଷମ। ଏହା ସମୁଦ୍ର, ମରୁଭୂମି, ପାର୍ବତ୍ୟାଞ୍ଚଳ ଭଳି ଅଞ୍ଚଳରେ ସବୁ ପ୍ରକାର ପାଣିପାଗରେ ଉଡ଼ିପାରେ। ଏଥିରେ ଷ୍ଟାର ବୋର୍ଡ ସ୍ଲାଇଡିଂ ଡୋର, ପାରାଚୁଟ୍, ସର୍ଚ୍ଚ ଲାଇଟ୍, ଜରୁରୀ ସ୍ଥିତିରେ ଭାସମାନ ଅବସ୍ଥାରେ ରହିପାରିବା ଭଳି ବ୍ୟବସ୍ଥା ରହିଛି।
୧୩ ହଜାର କେଜି ପର୍ଯ୍ୟନ୍ତ ଓଜନ ବୋହିପାରେ ଏବଂ ଏକ ସଙ୍ଗରେ ୩୬ ସଶସ୍ତ୍ର ସୈନ୍ୟଙ୍କୁ ନେଇପାରିବ। ଏହା ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ୬୦୦୦ ମିଟର ପର୍ଯ୍ୟନ୍ତ ଉଡ଼ିପାରେ। ଗୋଟିଏ ଥରରେ ୫୮୦ କିଲୋମିଟର ଦୂର ଯାଇପାରିବ।
ଥିବା ଗ୍ଲାସ୍ କକ୍ପିଟ୍ରେ ମଲ୍ଟି-ଫଙ୍କସନ୍ ଡିସ୍ପ୍ଲେ, ନାଇଟ୍ ଭିଜନ ଉପକରଣ, ପାଣିପାଗ ରାଡାର ଏବଂ ଅଟୋ ପାଇଲଟ୍ ସିଷ୍ଟମ ମଧ୍ୟ ରହିଛି।
ସଶସ୍ତ୍ର ଯାନ, ଭୂମିରେ ଥିବା ଟାର୍ଗେଟକୁ ଚିହ୍ନିବା ନିମନ୍ତେ ଏଥିରେ ଶତରୁମ୍-ଭି ମିଶାଇଲ, ଏସ୍-୮ ରକେଟ, ୨୩ ଏମ୍ଏମ୍ ମେଶିନ୍ ଗନ୍, ପିକେଟି ମେଶିନ୍ ଏବଂ ଏକେଏମ୍ ସବ୍ମେରାଇନ୍ ବନ୍ଧୁକ ରହିଛି।
ଗୁରୁତ୍ୱପୂର୍ଣ୍ଣ ଭାଗକୁ ସଶସ୍ତ୍ର ପ୍ଲେଟ୍ ଦ୍ୱାରା ସୁରକ୍ଷିତ ରଖାଯାଇଛି। ବିସ୍ଫୋରଣ ତଥା ନିଆଁରୁ ରକ୍ଷା ପାଇବା ପାଇଁ ଏହାର ଇନ୍ଧନ ଟ୍ୟାଙ୍କଗୁଡିକରେ ଫୋମ୍ ପଲିୟୁରଇଥେନ ରହିଛି।
ଭାରତରେ ବଡ଼ ବିମାନ ଦୁର୍ଘଟଣା
ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିମାନ ତାଇଓ୍ବାନଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଥିଲେ ହେଁ ଏହି ଘଟଣା ଆଜି ପର୍ଯ୍ୟନ୍ତ ବିବାଦୀୟ ହୋଇରହିଛି।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ତଥା ପୂର୍ବତନ ଏମ୍ପି ସଞ୍ଜୟ ଗାନ୍ଧୀଙ୍କ ବିମାନ ଦିଲ୍ଲୀରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ସଞ୍ଜୟଙ୍କ ମୃତ୍ୟୁ ଘଟିଥିଲା। ବିମାନକୁ ସଞ୍ଜୟ ନିଜେ ଚଲାଉଥିଲେ।
ପଞ୍ଜାବ ରାଜ୍ୟପାଳ ସୁରେନ୍ଦ୍ର ନାଥ ଏବଂ ତାଙ୍କ ପରିବାରର ୯ ଜଣ ସଦସ୍ୟ ସରକାରୀ ସୁପର-କିଙ୍ଗ୍ ଏୟାରକ୍ରାଫ୍ଟରେ ଯାଉଥିବାବେଳେ ଖରାପ ପାଣିପାଗ ଯୋଗୁ ହିମାଚଳ ପ୍ରଦେଶର ପର୍ବତମାଳା ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।
ପୂର୍ବତନ ମନ୍ତ୍ରୀ ମାଧବରାଓ ସିନ୍ଧିଆ ଉତ୍ତରପ୍ରଦେଶର କାନପୁରକୁ ଏକ ସଭାରେ ଯୋଗଦେବାକୁ ଏକ ସେନା ଏୟାରକ୍ରାଫ୍ଟରେ ଯାଉଥିବାବେଳେ ମୈନପୁରୀ ଜିଲାରେ ତାହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ମାଧବରାଓ ତାଙ୍କ ଜୀବନ ହରାଇଥିଲେ।
ଲୋକ ସଭା ବାଚସ୍ପତି ତଥା ତେଲୁଗୁ ଦେଶମ ପାର୍ଟିର ନେତା ଜି.ଏମ୍.ସି. ବାଲାଯୋଗୀଙ୍କ ଚପ୍ପର ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।
ଉତ୍ତରପ୍ରଦେଶର ସାହାରନ୍ପୁରଠାରେ ଓ. ପି. ଜିନ୍ଦଲ, ହରିୟାଣାର ତତ୍କାଳୀନ ଶକ୍ତିମନ୍ତ୍ରୀ ସୁରେଶ ସିଂଙ୍କ ହେଲିକପ୍ଟରରେ ବୈଷୟିକ ତ୍ରୁଟି ଦେଖାଯିବାରୁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।
ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ୍ବାଇ. ଏସ୍. ରାଜଶେଖର ରେଡ୍ଡୀଙ୍କ ହେଲିକପ୍ଟର ନଲ୍ଲାମାଲା ଜଙ୍ଗଲରେ ନିଖୋଜ ହୋଇଯାଇଥିଲା। ସେନା ପକ୍ଷରୁ ଖୋଜାଖୋଜି ପରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଭଗ୍ନାଂଶ ରୁଦ୍ରକୋଣ୍ଡା ପର୍ବତ ଶିଖରରୁ ମିଳିଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା।
୫ ଦିନ ଧରି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଦୋର୍ଜି ଖାଣ୍ଡୁଙ୍କ ହେଲିକପ୍ଟର ନିଖୋଜ ହେବା ପରେ ଚାଇନା ସୀମା ନିକଟରୁ ତାଙ୍କ ମୃତଦେହ ମିଳିଥିଲା।
ସିଡିଏସ୍ଙ୍କ କ୍ୟାରିୟର
୧୯୫୮ ମାର୍ଚ୍ଚ ୧୬ରେ ଉତ୍ତରାଖଣ୍ଡର ପୌଡିରେ ହିନ୍ଦୁ ଗଡ୍ଓ୍ବାଲି ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ ବିପିନ ଲକ୍ଷ୍ମଣ ସିଂ ରାଓ୍ବତ। ବାପା ଲକ୍ଷ୍ମଣ ସିଂ ରାଓ୍ବତ ସେନାର ଲ୍ୟୁଟନାଣ୍ଟ ଜେନେରାଲ ର଼୍ୟାଙ୍କ୍ ପର୍ଯ୍ୟନ୍ତ ପଦୋନ୍ନତି ପାଇଥିଲେ। ଡେରାଡୁନ୍ର କାମ୍ବ୍ରିଆନ ହଲ୍ ସ୍କୁଲ ଏବଂ ଶିମ୍ଲାର ସେଣ୍ଟ୍ ଏଡ୍ଓ୍ବାର୍ଡ ସ୍କୁଲରୁ ଶିକ୍ଷାଗ୍ରହଣ କରିଥିଲେ। ପରେ ସେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ, ଖଡକଓ୍ବାସଲା ଏବଂ ଭାରତୀୟ ସେନା ଏକାଡେମୀ, ଡେରାଡୁନ୍ରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ‘ସୋର୍ଡ ଅଫ୍ ଅନର’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୭୮ ଡିସେମ୍ବର ୧୬ରେ ସେ ୧୧ ଗୋର୍ଖା ରାଇଫଲର ୫ମ ବାଟାଲିୟନରେ ନିଯୁକ୍ତ ହୋଇଥିଲେ। ୪ ଦଶନ୍ଧିର କ୍ୟାରିୟରରେ ସେ ସେନାର ବିଭିନ୍ନ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ଜାତିସଂଘର ଶାନ୍ତିରକ୍ଷକ ଫୋର୍ସରେ ମଧ୍ୟ ଜେନେରାଲ ରାଓ୍ବତ ସାମିଲ ଥିଲେ। କଙ୍ଗୋରେ ମଲ୍ଟିନ୍ୟାଶନାଲ ବ୍ରିଗେଡର କମାଣ ସମ୍ଭାଳିଥିଲେ। ୨୦୧୬ ସେପ୍ଟେମ୍ବର ୧ରେ ତାଙ୍କୁ ଆର୍ମି ଷ୍ଟାଫ୍ର ଉପ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଥିଲା। ୨୦୧୬ ଡିସେମ୍ବର ୧୭ରେ ଭାରତ ସରକାର ତାଙ୍କୁ ୨୭ତମ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଭାବେ ନିଯୁକ୍ତ କରିଥିଲେ। ପ୍ରଥମ ସିଡିସି ଭାବେ ୨୦୨୦ ଜାନୁୟାରୀ ୧ରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ।
ବିବାଦରେ ବିପିନ ରାଓ୍ବତ୍
ଡିସେମ୍ବର ୨୬ରେ ଜେନେରାଲ ବିପିନ ରାଓ୍ବତ୍ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧୀ ବିକ୍ଷୋଭକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ନୂଆଦିଲ୍ଲୀରେ ଆୟୋଜିତ ହେଲ୍ଥ କେୟାର ସମିଟ୍ରେ ସେ କହିଥିଲେ, ବିଶ୍ୱବିଦ୍ୟାଳୟ ଓ କଲେଜ ଛାତ୍ରୀଛାତ୍ରମାନଙ୍କୁ ଅନୁପଯୁକ୍ତ ଦିଗକୁ ଟାଣିନିଆଯାଉଛି। ହିଂସା ଓ ଦଙ୍ଗା ଭିଆଇବା ଭଳି ଭୁଲ୍ ବାଟକୁ ନେଉଥିବା ଲୋକଙ୍କୁ ନେତା କୁହାଯାଇପାରିବ ନାହିଁ।
ଅକ୍ଟୋବରରେ ରାଓ୍ବତ୍ ପାକ୍-ଅଧିକୃତ କଶ୍ମୀର (ପିଓକେ)କୁ ଆତଙ୍କବାଦୀଙ୍କ ଦ୍ୱାରା ନିୟନ୍ତ୍ରିତ କହି ବିବାଦୀୟ ହୋଇଥିଲେ। ନୂଆଦିଲ୍ଲୀରେ ସେ କହିଥିଲେ, ପିଓକେକୁ ପାକିସ୍ତାନ ସରକାର ନିୟନ୍ତ୍ରଣ କରୁନାହାନ୍ତି, ବରଂ ଏହା ଉପରେ ସେହି ଦେଶର ଆତଙ୍କବାଦୀଙ୍କ କର୍ତ୍ତୃତ୍ୱ ରହିଛି। ରାଓ୍ବତ୍ ବାରମ୍ବାର ଏପରି ଦାୟିତ୍ୱହୀନ ମନ୍ତବ୍ୟ ଦେଉଥିବା ଦର୍ଶାଇ ପାକିସ୍ତାନୀ ସେନାର ତତ୍କାଳୀନ ମୁଖପାତ୍ର ମେଜର ଆସିଫ ଗଫୁର ଭାରତୀୟ ସେନାକୁ ଟାର୍ଗେଟ କରିଥିଲେ।
ସେପ୍ଟେମ୍ବରରେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀରେ ରାଓ୍ବତ୍ କହିଥିଲେ, ଜମ୍ମୁ-କଶ୍ମୀରରେ ସେନା ପକ୍ଷରୁ ଦମନଲୀଳା ଚାଲିନାହିଁ। ଆତଙ୍କବାଦୀମାନେ ଉପତ୍ୟକାରେ ଆତଙ୍କ ଓ ଅରାଜକତା ସୃଷ୍ଟି କରୁଛନ୍ତି। ସେମାନେ କଶ୍ମୀର ଓ ଅବଶିଷ୍ଟ ଭାରତର ଲୋକଙ୍କୁ ନେଇ ଏକ ତୁଳନାମତ୍କ ଚିତ୍ର ଆଙ୍କିବାକୁ ଚାହୁଁଛନ୍ତି, ଯାହାକି ବାସ୍ତବତାଠାରୁ ବହୁ ଦୂରରେ।
ଫେବୃୟାରୀରେ ଜେନେରାଲ ନର୍ଥ ଇଷ୍ଟ୍ ରିଜନ୍ ଅଫ୍ ଇଣ୍ଡିଆ ଶୀର୍ଷକ ଏକ ଆଲୋଚନାଚକ୍ରରେ ରାଓ୍ବତ୍ କହିଥିଲେ, ମୁସଲମାନ ପ୍ରବାସୀମାନଙ୍କ ଯୋଗୁ ଏଆଇୟୁଡିଏଫ୍ ଶକ୍ତି ବୃଦ୍ଧି ଘଟୁଛି। ଆସାମରେ ଏହି ଦଳ ଭାଜପାଠାରୁ ମଧ୍ୟ ଅଧିକ ମଜଭୁତ ହେବାରେ ଲାଗିଛି। ପାକିସ୍ତାନ ଓ ଚାଇନା ବାଂଲାଦେଶୀ ଶରଣାର୍ଥୀମାନଙ୍କୁ ଉତ୍ତର-ପୂର୍ବାଞ୍ଚଳରେ ଅସ୍ଥିରତା ସୃଷ୍ଟି ପାଇଁ ପଠାଉଛନ୍ତି। ସେତେବେଳେ ରାଓ୍ବତ୍ଙ୍କ ଏହି ମନ୍ତବ୍ୟ ପାଇଁ ସେନାକୁ ସାଲ୍ୟୁଟ୍ କରାଯିବା ଉଚିତ ବୋଲି ଭାଜପା ପ୍ରଶଂସା କରିଥିଲା। ଏଆଇୟୁଡିଏଫ୍ ମୁଖ୍ୟ ବଦ୍ରୁଦ୍ଦିନ ଅଜ୍ମଲ ଓ ଅନ୍ୟ ବିରୋଧୀ ନେତାମାନେ ରାଓ୍ବତ୍ଙ୍କୁ ସମାଲୋଚନା କରିଥିଲେ।
ଜାନୁୟାରୀରେ ସ୍ଥଳସେନା ମୁଖ୍ୟ ଜେନେରାଲ ରାଓ୍ବତ୍ କହିଥିଲେ, ଡୋକ୍ଲାମ୍ ହେଉଛି ଭୁଟାନ ଓ ଚାଇନା ମଧ୍ୟରେ ଏକ ବିବାଦୀୟ ଅଞ୍ଚଳ। ତେଣୁ ସେନାକୁ ଏବେ ପାକିସ୍ତାନ ସଂଲଗ୍ନ ଏଲ୍ଓସିରୁ ଧ୍ୟାନ ହଟାଇ ଚାଇନା ସହ ଲାଗିରହିଥିବା ଏଲ୍ଏସି ଉପରେ ଦୃଷ୍ଟି ଦେବାକୁ ପଡ଼ିବ। ଏନେଇ ଚାଇନା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।