ନେପାଳରେ ରାଜନୈତିକ ଅସ୍ଥିରତା, ଆମେରିକା-ଚାଇନା ମୁହାଁମୁହିଁ, ପ୍ରଚଣ୍ଡଙ୍କ ଧମକ…

କାଠମାଣ୍ଡୁ,୧୭।୨ : ଭାରତର ପଡୋଶୀ ଦେଶ ନେପାଳ ପୁଣି ଥରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଏଥର ମଧ୍ୟ ନେପାଳରେ ଚାଲିଥିବା ରାଜନୈତିକ ଅଡୁଆରେ ଚାଇନା ସମ୍ପୃକ୍ତି ରହିଛି। ନେପାଳର ଶାସକ ଶେର୍‌ ବାହାଦୂର ଦେଓବା ସରକାରଙ୍କ ସହଭାଗୀ ଥିବା ନେପାଳର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ କେନ୍ଦ୍ର) ର ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡା ଚେତାବନୀ ଦେଇଛନ୍ତି ଯେ ସେ ସରକାର ଛାଡିବେ। ଆମେରିକାର ମିଲେନିୟମ ଚ୍ୟାଲେଞ୍ଜ କର୍ପୋରେସନ (ଏମ୍‌ସିସି) ସମ୍ପର୍କିତ ପ୍ରସ୍ତାବକୁ ସଂସଦରେ ଉପସ୍ଥାପନ କରିବାର କିଛି ଘଣ୍ଟା ପରେ ପ୍ରଚଣ୍ଡ ଏହି ଧମକ ଦେଇଛନ୍ତି।

ଏମସିସି ଅଧୀନରେ ଆମେରିକା ସରକାର ନେପାଳକୁ ୫୦ କୋଟି ଡଲାର ସହାୟତା ଦେବାକୁ ଚାହୁଁଛନ୍ତି, କିନ୍ତୁ ନେପାଳର ଚାଇନା ସମର୍ଥକ ଦଳ ଏହାକୁ ବିରୋଧ କରୁଛନ୍ତି। ସଂସଦରେ ସିପିଏନ ମାଓବାଦୀ ନେତା ଦେବ ପ୍ରସାଦ ଗୁରୁଙ୍ଗ କହିଛନ୍ତି ଯେ ଯଦି ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରନ୍ତି, ତେବେ ସରକାରରେ ମେଣ୍ଟ ଭାଙ୍ଗିବାର ସମୟ ଆସିଛି ବୋଲି ବୁଝିବାକୁ ପଡ଼ିବ।

ଏହି ପ୍ରସ୍ତାବ ମାଧ୍ୟମରେ ନେପାଳର ସଡକଗୁଡିକର ଗୁଣବତ୍ତା ଆମେରିକାର ସହାୟତାରେ ଉନ୍ନତ ହେବ। ଏହା ବ୍ୟତୀତ ବିଦ୍ୟୁତର ଉପଲବ୍ଧତା ବୃଦ୍ଧି ହେବ ଏବଂ ନେପାଳ ଏବଂ ଭାରତ ମଧ୍ୟରେ ବିଦ୍ୟୁତ କାରବାର ଆରମ୍ଭ କରାଯିବ।

ଆମେରିକା ନେପାଳକୁ ଏମ୍‌ସିସି ଲାଗୁ ନେଇ ଧମକ ଦେଇଛି। ଫେବୃଆରୀ ୨୮ ସୁଦ୍ଧା ମିଲେନିୟମ ଚ୍ୟାଲେଞ୍ଜ ନିଗମ ଅଧୀନରେ ପ୍ରସ୍ତାବିତ ଅନୁଦାନ-ସହାୟତା ଚୁକ୍ତିନାମାକୁ ନେପାଳକୁ ଆମେରିକା ଅନୁମୋଦନ କରିବାକୁ କହିଛି। ଯଦି ନେପାଳ ଏହି ସହାୟତା ଗ୍ରହଣ ନ କରିବ, ତେବେ ଆମେରିକ ସହ ଏହାର ସମ୍ପର୍କର ସମୀକ୍ଷା କରାଯିବ ସହିତ ଚାଇନାର ହାତ ଯୋଗୁ ଏହି ଚୁକ୍ତି ବିଫଳ ହୋଇଛି ବୋଲି ଗ୍ରହଣ କରାଯିବ।

ଫଳରେ ନେପାଳର ରାଜନୈତିକ ସଙ୍କଟରେ ଆମେରିକା ଏବଂ ଚାଇନା ପୁଣି ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ନେତା କହିଛନ୍ତି ଯେ, ଆମେରିକାର ସହାୟତା ଦେଶର ସମ୍ବିଧାନକୁ କ୍ଷୁର୍ଣ୍ଣ କରିବ, ଯାହା ଏହାର ଇଣ୍ଡୋ-ପାସିଫିକ ରଣନୀତିର ଏକ ଅଂଶ। ଚାଇନା ବିରୋଧରେ ଆମେରିକା ନେପାଳର ଜମି ବ୍ୟବହାର କରିପାରିବାର ଆଶଙ୍କା ମଧ୍ୟ ରହିଥିବା ବିରୋଧୀ କହିଛନ୍ତି।

ନେପାଳ ଏବଂ ଆମେରିକା ୨୦୧୭ରେ ଏମ୍‌ସିସି ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଗତ ବର୍ଷ ଚାଇନା ଚାପରେ ଶ୍ରୀଲଙ୍କା ମଧ୍ୟ ଏମସିସି ଚୁକ୍ତିନାମାକୁ ପ୍ରତ୍ୟାଖ୍ୟାନ କରିଥିଲା।

ଏମ୍‌ସିସି ଅଧୀନରେ ୩୦ ଟି ଦେଶ ଅଂଶୀଦାର ହୋଇପାରିଛନ୍ତି ଏବଂ ଏପର୍ଯ୍ୟନ୍ତ ୧୩ ବିଲିୟନ ୫୦ କୋଟି ଡଲାର ସହାୟତା ପ୍ରଦାନ କରାଯାଇଛି। ନେପାଳରେ ଚାଇନାର ପ୍ରଚ୍ଛନ୍ନ ହାତ ଦ୍ୱାରା ଏହି ଆମେରିକୀୟ ସହାୟତାକୁ ବିରୋଧ କରାଯାଉଛି। ଦେଶରବହୁ ସ୍ଥାନରେ ଏହାକୁ ନେଇ ପ୍ରଦର୍ଶନ ମଧ୍ୟ ଜାରି ରହିଛି।

Share