ବହୁ ଆଡ଼ମ୍ବରରେ ରାଜନେତା ପାଳିଲେ ହୋଲି

ନୂଆଦିଲ୍ଲୀ,୧୮।୩: ରଙ୍ଗର ପବ ହୋଲିକୁ ସାରା ଦେଶରେ ଶୁକ୍ରବାର ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। କରୋନା ମହାମାରୀ ଯୋଗୁ ଗତ ୨ବର୍ଷ ହେଲାଣି ଲୋକମାନେ ଏହି ପର୍ବକୁ ପାଳନ କରି ନ ଥିଲେ। କିନ୍ତୁ ଦେଶରେ ବର୍ତ୍ତମାନ କରୋନା ମାମଲା ହ୍ରାସ ପାଇବା ପରେ ଚଳିତ ଥର ଲୋକମାନେ ଏହାକୁ ଜୋରଦାର ପାଳନ କରୁଥିବା ଜଣାପଡ଼ିଛି। ଏହିକ୍ରମରେ ରାଜନେତାମାନେ ମଧ୍ୟ ପଛରେ ରହିନାହାନ୍ତି। ନିଜ ବାସଭବନରେ କିଏ ଢ଼ୋଲ ବଜାଇ ତ ଆଉ କିଏ ମିଠା ଖୁଆଇ ହୋଲି ଖେଳୁଥିବାର ନଜର ଆସିଛନ୍ତି। ଅନ୍ୟପଟେ ଭାଜପା ବିଧାନସଭା ନିର୍ବାଚନର ଫଳାଫଳଠାରୁ ହିଁ ହୋଲି ଖେଳୁଥିବା ଦେଖିବାକୁ ମିଳିଛି। ତେବେ ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଦେଶର ଅନେକ ରାଜନେତା ହୋଲିରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଇତିମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଲୋକପ୍ରିୟ ବୁନ୍ଦେଲି ଗୀତର ତାଳେ ତାଳେ ଝୁମି ହୋଲି ଖେଳୁଥିବା ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକଭି ମଦ୍ୟ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଲୋକଙ୍କ ସହ ହୋଲି ଖେଳିଛନ୍ତି। ଆମ ଦେଶର ସୋନ୍ଦର୍ଯ୍ୟ ହେଉଛି, ଆମେ ସମସ୍ତେ ପର୍ବକୁ ଏକାଠି ପାଳନ କରିଥାଉ। ସେଥିପାଇଁ କୁହାଯାଏ ଭାରତ ‘ବିବିଧତା ମଧ୍ୟରେ ଏକତା’ ବୋଲି ନକଭି କହିଛନ୍ତି। ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଦିଲ୍ଲୀବାସୀଙ୍କ ସହ ହୋଲି ଖେଳିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ହରିଶ ରାୱତ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବି ରଙ୍ଗର ପର୍ବରେ ହୋଲିରେ ଢ଼ୋଲ ବଜାଇ ହୋଲି ଖେଳୁଥିବାର ନଜର ଆସିଛନ୍ତି।

Share