Categories: ଜାତୀୟ

ଏହି ଗାଁରେ ହୁଏନାହିଁ ନିର୍ବାଚନ ପ୍ରଚାର: ମତଦାନ ୯୬ ପ୍ରତିଶତ

ରାଜକୋଟ,୨୧।୪: ଗୁଜରାଟ ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ସବୁଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ଗାଁରେ ପ୍ରଚାର କରାଗଲେ ପରିବେଶ ନଷ୍ଟ ହେବ। ତେଣୁ ସେମାନେ କୌଣସି ପ୍ରଚାରକୁ ଗାଁ ଭିତରକୁ ପ୍ରବେଶ କରିବାକୁ ବାରଣ କରି ଥାଆନ୍ତି। ହେଲେ ଏହି ଗାଁରେ ପ୍ରାୟ ୯୫-୯୬ ପ୍ରତିଶତ ମତଦାନ ହୋଇଥାଏ ବୋଲି ସରପଞ୍ଚ ଅଶୋକ ଭାଇ ବାଘେରା ସୂଚନା ଦେଇଛନ୍ତି। ଗାଁର ସମସ୍ତ ବ୍ୟକ୍ତି ମତଦାନ କରିଥାଆନ୍ତି। ଆଉ ଯେଉଁମାନେ ମତଦାନ କରି ନ ଥାଆନ୍ତି ସେମାନଙ୍କୁ ୫୧ ଟଙ୍କା ଜରିମାନା ଦେବାକୁ ପଡିଥାଏ। ଶହେ ପ୍ରତିଶତ ମତଦାନ ଲକ୍ଷ୍ୟରେ ଗାଁରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ ଏହା ଏକ ଆଦର୍ଶ ଗାଁ ଭାବେ ଗୁଜରାଟରେ ବେଶ୍‌ ପରିଚିତ। ଏଠାକାର ଘର ଅବା ଦୋକାନରେ କେବେ ତାଲା ପଡି ନ ଥାଏ ବୋଲି ଗାଁ ଲୋକେ କୁହନ୍ତି। କାରଣ ଏହି ଗାଁରେ କୌଣସି ଜିନିଷ ଚୋରି ହୋଇ ନ ଥାଏ।

Share