ନୂଆଦିଲ୍ଲୀ,୧୯।୧୧ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ରାଜନୈତିକ ଦଳମାନେ ନିର୍ବାଚନ ଚିହ୍ନକୁ ସେମାନଙ୍କର ସମ୍ପତ୍ତି ବୋଲି ଘୋଷଣା କରିପାରିବେ ନାହିଁ ଏବଂ ଖରାପ ପ୍ରଦର୍ଶନ ପାଇଁ ଏହାକୁ ମଧ୍ୟ ଛଡ଼ାଇ ନିଆଯାଇପାରିବ।
ଶିବସେନା (ଉଦ୍ଧବ ଦଳ)ଙ୍କ ନିର୍ବାଚନର ପ୍ରତୀକ ଭାବରେ ଜ୍ୱଳନ୍ତ ମଶାଲ ପାଇବାକୁ ଏକ ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମତା ପାର୍ଟିର ଏହି ଆବେଦନର ଶୁଣାଣି କରୁଥିବାବେଳେ ଜଣିକିଆ ଖଣ୍ଡପୀଠ ଏହା କହିଥିଲେ।
ଆବେଦନକାରୀ ଦାବି କରିଥିଲେ ଯେ ଜଳୁଥିବା ମଶାଲ ହେଉଛି ତାଙ୍କର ନିର୍ବାଚନ ଚିହ୍ନ ଏବଂ ଏହି ଚିହ୍ନରେ ଦଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ତେବେ ଏହାକୁ ଜଣିକିଆ ଖଣ୍ଡପୀଠ ଖାରଜ କରିଦେଇଥିଲେ।
ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ଏକ ବେଞ୍ଚ ସୁବ୍ରମଣ୍ୟମ ସ୍ବାମୀ ବନାମ ନିର୍ବାଚନ ଆୟୋଗଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଦର୍ଶାଇ କହିଛନ୍ତି ଯେ ନିର୍ବାଚନ ଚିହ୍ନ ଏକ ଦ୍ରବ୍ୟ ନୁହେଁ ଏବଂ ଏହା ଯୋଗୁ କୌଣସି ଆୟ ମଧ୍ୟ ହୋଇ ନଥାଏ।