ମୁହଁ ଖୋଲୁନାହାନ୍ତି ରାଜନୈତିକ ଦଳ

ବ୍ରଜରାଜନଗର,୨୫।୫(ଡି.ଏନ.ଏ.): ବ୍ରଜରାଜନଗର ଉପନିିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ରାଜନୈତିକ ଦଳର ନେତା ନିଜ ଏଜେଣ୍ଡାରେ ବିକାଶ କଥା କହୁଛନ୍ତି। ହେଲେ ବ୍ରଜରଜନଗରର ଭାତହାଣ୍ଡି କୁହାଯାଉଥିବା ଓରିଏଣ୍ଟ ପେପର ମିଲ୍‌ ଯାହା ୨୩ବର୍ଷ ହେଲା ବନ୍ଦ ପଡିଛି ସେ ବିଷୟରେ କେହି ମୁହଁ ଖୋଲୁ ନାହାନ୍ତି। ଏ ନେଇ ପ୍ରମୁଖ ରାଜନୈତିକ ଦଳର ନେତାମାନେ ଭିନ୍ନ ମତ ରଖୁଥିବାବେଳେ ଶାସକଦଳ ସକାରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢିଥିବା ପ୍ରକାଶ କରିଛି।
ଭାଜପା ମିଡ଼ିଆ ପ୍ରଭାରୀ ସୁଶୀଲ ପୁରୋହିତ କହନ୍ତି, ଦୀର୍ଘ ୨୩ବର୍ଷ ଧରି ଶାସକ ଦଳ ଓରିଏଣ୍ଟ ପେପର ମିଲ ଖୋଲିବାରେ କୌଣସି ଆଗ୍ରହ ଦେଖାଇ ନାହିଁ। ତେଣୁ ମିଲ ଅଧୀନରେ ଥିବା ୯୩୬ଏକର ଜମିର ଲିଜ୍‌ କ୍ୟାନ୍‌ସେଲ୍‌ କରାଯାଉ। ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ କହିଛନ୍ତି, ବାମପନ୍ଥୀ ଦଳକୁ ଯଦି ବ୍ରଜରାଜନଗରବାସୀ ଆଶୀର୍ବାଦ ପ୍ରଦାନ କରିବେ ତେବେ ମିଲ୍‌ ଖୋଲିବା ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ କରିବେ। କଂଗ୍ରେସ ଦଳର ସହର ସଭାପତି ପ୍ରମୋଦ ପଣ୍ଡା କହନ୍ତି, ଦୀର୍ଘବର୍ଷ ହେଲା କଂଗ୍ରସ ଦଳ କ୍ଷମତା ବାହାରେ ରହିଛି। ବିଗତ ଦିନରେ କଂଗ୍ରେସର ତତ୍କାଳୀନ ବିଧାୟକ ମିଲ୍‌ ସମସ୍ୟା ବିଧାନସଭାରେ ଉତ୍‌ଥାପନ କରିଛନ୍ତି। ହେଲେ ତାଙ୍କ ଦାବିକୁ ବିଜେଡି ସରକାର ଶୁଣିନାହାନ୍ତି। ଦଳ କ୍ଷମତାକୁ ଆସିଲେ ପେପର ମିଲ୍‌ର ପୁନଃ ଉଦ୍ଧାର ହେବା ନିଶ୍ଚିତ। ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କ ଅଭିଯୋଗର ସତ୍ୟତା ନ ଥିବା ପ୍ରକାଶ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ପ୍ରଭାତ ଦାଶ। ସେ କହିଛନ୍ତି, ପେପର ମିଲ୍‌ ବନ୍ଦଠାରୁ ୨୦୧୯ ପର୍ଯ୍ୟନ୍ତ ଅନ୍ୟ ଦଳର ବିଧାୟକମାନେ ବ୍ରଜରାଜନଗରରୁ ପ୍ରତିନିଧିତ୍ୱ କରୁଥିଲେ। ଦିନେ ହେଲେ ମିଲ୍‌ ଖୋଲିବା ନେଇ ବିଧାନସଭାରେ ମୁହଁ ଖୋଲି ନାହାନ୍ତି। ୨o୧୯ରେ ବିଜେଡିର କିଶୋର ମହାନ୍ତି ନିର୍ବାଚିତ ହେଲା ପରେ ମିଲ ସମସ୍ୟା ଉତ୍‌ଥାପନ କରିବା ସହିତ ରାଜ୍ୟ ସରକାରଙ୍କ ଶିଳ୍ପମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଚଳିତ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ନିର୍ବାଚିତ ହେଲେ ମିଲ୍‌ ଖୋଲିବା ଦିଗରେ ପଦକ୍ଷେପ ନେବେ ବୋଲି ଦାଶ କହିଛନ୍ତି। ଅନ୍ୟପକ୍ଷେ ଏହି ମିଲ୍‌ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ବ୍ରଜରାଜନଗରବାସୀ ନିିର୍ଭରଶୀଳ। ତେଣୁ ଯେଉଁ ଦଳ ମିଲ୍‌ ଖୋଲିପାରିବ ସେହି ଦଳ ହିଁ ବିକାଶ କରିପାରିବ ବୋଲି ଅଞ୍ଚଳବାସୀ ମତ ପୋଷଣ କରିଛନ୍ତି।