Categories: ଜାତୀୟ

ବିଧାନସଭା ନିର୍ବାଚନ ତାରିଖକୁ ସ୍ବାଗତ କଲେ ରାଜନୈତିକ ଦଳ, ନିଜ ନିଜର ବିଜୟ ଦାବି କଲା ଭାଜପା-କଂଗ୍ରେସ

ନୂଆଦିଲ୍ଲୀ,୯।୧୦: ନିର୍ବାଚନ ଆୟୋଗ ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ରାଜନୈତିକ ଦଳର ନେତାମାନେ ମତଦାନ ତାରିଖକୁ ସ୍ବାଗତ କରିଛନ୍ତି। ସମସ୍ତେ ନିଜ ନିଜର ବିଜୟ ଦାବି କରି ପରସ୍ପରକୁ ଟାର୍ଗେଟ୍‌ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର କହିଛନ୍ତି, ଦଳର ସଦସ୍ୟମାନେ ଲୋକଙ୍କ ନିକଟକୁ ଯାଇ ନିଜର ଶକ୍ତି ପ୍ରଦର୍ଶନ କରିବେ। ଏହା ଜନସାଧାରଣଙ୍କ କଲ୍ୟାଣ, ସାମାଜିକ ନ୍ୟାୟ ଏବଂ ପ୍ରଗତିଶୀଳ ବିକାଶକୁ ମଧ୍ୟ ଏହାର ଗ୍ୟାରେଣ୍ଟି ଭାବରେ ଆଲୋକିତ କରିବ।

ସୋସିଆଲ ମିଡିଆ ଏକ୍ସରେ ଖାର୍ଗେ କହିଛନ୍ତି, ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଭାଜପା ଏବଂ ଏହାର ସହଯୋଗୀଙ୍କ ବିଦାୟର ମଧ୍ୟ ଘୋଷଣା କରାଯାଇଛି। କଂଗ୍ରେସ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା ଏବଂ ମିଜୋରାମରେ ଲୋକଙ୍କ ନିକଟରେ ପହଞ୍ଚିବ। ସେ ଆହୁରି ମଧ୍ୟ କହିଛନ୍ତି, ଜନ କଲ୍ୟାଣ, ସାମାଜିକ ନ୍ୟାୟ ଏବଂ ପ୍ରଗତିଶୀଳ ବିକାଶ ହେଉଛି କଂଗ୍ରେସର ଗ୍ୟାରେଣ୍ଟି।

ନିର୍ବାଚନ ତାରିଖ ଘୋଷଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି, ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ପୂର୍ଣ୍ଣ ଶକ୍ତି ସହିତ ଲଢିବୁ।

ଏଥି ସହ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି, ମଧ୍ୟପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ନିର୍ବାଚନ ଲଢିବାକୁ ଭାଜପା ପ୍ରସ୍ତୁତ ଅଛି। ବୁଥରୁ ଶୀର୍ଷ ନେତୃତ୍ୱ ପର୍ଯ୍ୟନ୍ତ ପ୍ରସ୍ତୁତି ଚାଲିଛି। ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ମିଜୋରାମରେ ମଧ୍ୟ ସରକାର ଗଠନ କରିବାରେ ଭାଜପା ସଫଳ ହେବ।

Share