Categories: ଜାତୀୟ

ମାଗଣା ସୁବିଧା ଘୋଷଣା କରୁଥିବା ରାଜନୈତିକ ଦଳଙ୍କର ମାନ୍ୟତା ରଦ୍ଦ କରିବା ଅଧିକାର ନାହିଁ, ଏସ୍‌ସିଙ୍କୁ କହିଲେ ଇସି…

ନୂଆଦିଲ୍ଲୀ, ୯।୪ : ନିର୍ବାଚନରେ ମାଗଣା ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଙ୍କ ମାନ୍ୟତା ରଦ୍ଦ କରିବା ଅଧିକାର ନାହିଁ ବୋଲି ନିର୍ବାଚନ କମିଶନ (ଇସି) ସୁପ୍ରିମ୍‌କୋର୍ଟ(ଏସ୍‌ସି)ଙ୍କୁ ଜବାବ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ, ଏହା ତାଙ୍କର କାର୍ଯ୍ୟ ପରିସୀମା ବାହାରେ। କୌଣସି ସରକାରଙ୍କ ନୀତି କ’ଣ ହେବ ତାହା ନିର୍ବାଚନ କମିଶନ ନିୟନ୍ତ୍ରଣ କରିପାରିବେ ନାହିଁ ।

ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାର ବିଚାରରେ ଶୀର୍ଷ କୋର୍ଟଙ୍କ ପକ୍ଷରୁ ଜାନୁୟାରୀ ୨୫ରେ ଲୋଡ଼ା ଯାଇଥିବା ଉତ୍ତରରେ ନିର୍ବାଚନ କମିଶନ ଏଭଳି କହିଛନ୍ତି।

ନିର୍ବାଚନ କମିଶନ କହିଛନ୍ତି ଯେ, ତାଙ୍କ ପାଖରେ ମାନ୍ୟତା ରଦ୍ଦ କରିବାର ଅଧିକାର କେତେକ ସୀମିତ କ୍ଷେତ୍ରରେ ରହିଛି। ରାଜନୈତିକ ଦଳ ମାନ୍ୟତା ହାସଲ ପାଇଁ ଅନୈତିକ ଉପାୟ ଅବଲମ୍ବନ କରିଥିଲେ ଅବା ନିଜ ସମ୍ବିଧାନର ପାଳନ ନ କଲେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥାଏ। ମାତ୍ର ନିର୍ବାଚନରେ କୌଣସି ପ୍ରତିଶ୍ରୁତି ପ୍ରଦାନ କରିବା କ୍ଷେତ୍ରରେ ମାନ୍ୟତା ରଦ୍ଦ କରିବାର ଅଧିକାର ନିର୍ବାଚନ କମିଶନଙ୍କର ନାହିଁ।

ନିର୍ବାଚନରେ ଘୋଷଣା କରାଯାଉଥିବା ପ୍ରତିଶ୍ରୁତି ଆଚରଣ ବିଧିର ଉଲ୍ଲଂଘନ କି ନୁହେଁ ତାହା କେବଳ କମିଶନ ଯାଞ୍ଚ୍‌ କରିଥାନ୍ତି।
ଏହାର ପରବର୍ତ୍ତୀ ଶୁଣାଣି ମେ ୧୮ରେ କରାଯିବ ବୋଲି କୋର୍ଟ କହିଛନ୍ତି।

Share