ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ ବି ହୋଇସାରିଛି। ଏବେ ଗାଁ’ଗଣ୍ଡାରେ ନାମଯଜ୍ଞ, ରାମାୟଣ  ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। ହେଲେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନିର୍ବାଚନ ଆଚରଣ ବିଧିକୁ ଫୁ’ କରାଯାଇଥିବାର ଦୃଷ୍ଟିଗୋଚର ହୋଇଛି।

ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଜହ୍ନାପଡ଼ା ପଞ୍ଚାୟତର ବରାହମୁଣ୍ଡାରେ ଆଚରଣ ବିଧି ଫୁ’ କରାଯାଇଥିବା ନଜରକୁ ଆସିଛି। ଗାଁରେ ଥିବା ସ୍କୁଲ ଭିତରେ ନାମଯଜ୍ଞ ନାମରେ ଭୋଜିଭାତ ଚାଲିଛି। ଏନେଇ ସମ୍ପୃକ୍ତ ବରାହମୁଣ୍ଡା ୟୁଜିୟୁପି ସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ କୁମାର କାଲୋ ଅତାବିରା ବ୍ଲକ ଶିକ୍ଷାଧିକାରୀ ମିଶ୍ରାଣୀ କୁମ୍ଭାରଙ୍କୁ ଲିଖିତ ଭାବେ ଜଣାଇଥିଲେ ବି ସ୍କୁଲ ଭିତରେ ଭୋଜିଭାତ କାର୍ଯ୍ୟକ୍ରମକୁ ରୋକି ପାରିନାହାନ୍ତି। ଓଲଟା ମୁଁ ଛୁଟିରେ ଥିଲି ଆଜି କାର୍ଯ୍ୟରେ ଯୋଗ ଦେଇ ନିର୍ବାଚନ ଟ୍ରେନିଂ ବରଗଡ଼ ଯାଇଥିଲି କହି ଅଭିଯୋଗକୁ ବିଇଓ ମିଶ୍ରାଣୀ କୁମ୍ଭାର ଏଡ଼ାଇ ଦେଇଛନ୍ତି। ଏ ନେଇ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏହାର ତଦନ୍ତ କରି ବୁଝିବି ବୋଲି କହିଥିଲେ। ଅନ୍ୟ ପଟେ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଭୋଟ୍‌ ପାଇବା ଆଶାରେ ଅତାବିରା ବିଧାନସଭା ଆସନର ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ନାମଯଜ୍ଞରେ ଆଶୀର୍ବାଦ ନେବାକୁ ଯାଇ ସ୍କୁଲ ପରିସରରେ ହେଉଥିବା ଭୋଜିଭାତରେ ସାମିଲ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି। ଏ ନେଇ ମହାନନ୍ଦଙ୍କୁ ତାଙ୍କ ଫୋନ୍‌ ନଂ ୯୯୩୭୦୬୦୬୬୬ରେ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ ଉଠାଇ ନାହାନ୍ତି। ଅନ୍ୟ ପଟେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ କାର୍ଯ୍ୟକ୍ରମକୁ ନିଜ ସମର୍ଥକଙ୍କ ସହ ଅନୁରୂପ ଭାବେ ଯାଇ ଯୋଗ ଦେଇଛନ୍ତି। ଜହ୍ନାପଡ଼ା ସରପଞ୍ଚ ସୁବାସିନୀ ତାରିଆଙ୍କୁ ପଚାରିବାରୁ ବରାହମୁଣ୍ଡାରେ ନାମଯଜ୍ଞ ଚାଲିଛି ସ୍କୁଲ ପରିସରରେ ଭୋଜିଭାତ ପାଇଁ ମୋତେ କେହି ଜଣାଇ ନାହାନ୍ତି କିମ୍ବା ମୋତେ ପଚାରି ନାହାନ୍ତି ବୋଲି କହିଛନ୍ତି। ନିର୍ବାଚନରେ ଭୋଟ୍‌ ପାଇବାକୁ ରାଜନୈତିକ ଦଳର ପ୍ରାର୍ଥୀମାନେ ବି ନିର୍ବାଚନ ଆଚରଣ ବିଧିକୁ ଫୁ’ କରିବାରେ ପଛାଇ ନାହାନ୍ତି। ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Share