Categories: ଜାତୀୟ

ଲକ୍ଷ୍ମୀପୁରରେ ଘଟିଛି ନରସଂହାର: ରାହୁଲ

ନୂଆଦିଲ୍ଲୀ,୩।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ମନ୍ତ୍ରୀଙ୍କ କାର ଆନ୍ଦୋଳନ ଚାଷୀଙ୍କ ଉପରେ ଚଢିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଚାଷୀ ଆହତ ମଧ୍ୟ ହୋଇଛନ୍ତି। ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଘଟଣାକୁ ଏକ ନରସଂହାର ବୋଲି କହିଛନ୍ତି। ଏହା ସହିତ ସେ କୃଷକ ସତ୍ୟଗ୍ରାହ ଜିନ୍ଦାବାଦର ସ୍ଲୋଗାନ ମଧ୍ୟ ଦେଇଥିଲେ। ରାହୁଲ ଟୁଇଟ୍‌ କରି କହିଛନ୍ତି, ଏହି ଅମାନବୀୟ ହତ୍ୟାକାଣ୍ଡକୁ ଦେଖିବା ପରେ ମଧ୍ୟ ଯିଏ ଚୁପ ଅଛି, ସେ ପୂର୍ବରୁ ମରିଯାଇଛି। କିନ୍ତୁ ଆମେ ଏହି ବଳିଦାନକୁ ବ୍ୟର୍ଥ ହେବାକୁ ଦେବୁ ନାହିଁ – କୃଷକ ସତ୍ୟଗ୍ରାହ ଜିନ୍ଦବାଦ।
ସୂଚନାଯୋଗ୍ୟ ଯେ, ସଂଯୁକ୍ତ କୃଷକ ମୋର୍ଚ୍ଚା ଏକ ଟୁଇଟ୍‌ ଯୋଗେ ଅଭିଯୋଗ କରିଛି ଯେ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ତାଙ୍କ କାରରେ ତିନି ଚାଷୀଙ୍କୁ ଗାଡି ଚଢାଇ ହତ୍ୟା କରିଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଡିଜିପି ମୁକୁଲ ଗୋୟଲ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share