Categories: ଜାତୀୟ

ଭାଜପା ନେତାଙ୍କୁ ଚା’ ପିଇବାକୁ ମମତାଙ୍କ ନିମନ୍ତ୍ରଣ ପରେ ବଢୁଛି ରାଜନୈତିକ ଚର୍ଚ୍ଚା

କୋଲକତା,୧୯।୮:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ରାଜ୍ୟ ସଚିବାଳୟରେ ଚା ’ ପାଇଁ ନିମନ୍ତ୍ରଣ କରିବା ପରେ ରାଜନୈତିକ କଳ୍ପନାଜଳ୍ପନା ତୀବ୍ର ହୋଇଛି। ଏହି ନିମନ୍ତ୍ରଣ ପରେ ଚର୍ଚ୍ଚା ହେଉଛି ଯେ, ମମତା ବାନାର୍ଜୀ ବଙ୍ଗଳାରେ ଭାଜପାକୁ ବିଭାଜନ କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। କୁହାଯାଉଛି ଭାଜପାର ବରିଷ୍ଠ ନେତା ମୁକୁଲ ରାୟ ଟିଏମ୍‌ସିକୁ ଆଣିବା ପରେ ଏବେ ଦିଦିଙ୍କ ନଜର ଦିଲୀପ ଘୋଷଙ୍କୁ ଉପରେ ରହିଛି।
ସୂଚନାଯୋଗ୍ୟ,ସ୍ବାଧୀନତା ଦିବସ ଅବସରରେ ରାଜ ଭବନରେ ଆୟୋଜିତ ଚା ’ପାର୍ଟିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଭାଜପା ନେତା ଦିଲୀପ ଘୋଷ, ତାଥଗତ ରୟ ଏବଂ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସୂଚନାନୁସାରେ, ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦିଲୀପ ଘୋଷଙ୍କୁ ରାଜ୍ୟ ସଚିବାଳୟକୁ ଚା ’ପାଇଁ ନିମନ୍ତ୍ରଣ କରିଥିଲେ, କେବଳ ଏତିକି ନୁହେଁ, ମମତା ତାଙ୍କୁ କାଳି ପୂଜାକୁ ଆସିବାକୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ଏଥି ସହିତ ଦିଲୀପ ଘୋଷଙ୍କ ନିମନ୍ତ୍ରଣ ଗ୍ରହଣ କରିବା ପରେ ବଙ୍ଗଳା ଭାଜପାରେ ଏ ସମ୍ପର୍କରେ ଅନେକ ଚର୍ଚ୍ଚା ଚାଲିଛି।

Share