ଗୌଡଗାଁରେ ରାଜନୈତିକ ହିଂସା ଥମୁନି: ଘରେ ପଶି ୨ଜଣଙ୍କୁ କାତି ଚୋଟ, ୩ ଜେଲ ଗଲେ

ଦିଗପହଣ୍ଡି,୧୦ା୨(ଡି.ଏନ୍‌.ଏ.)  ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡଗାଁ ପଞ୍ଚାୟତରେ ରାଜନୈତିକ ହିଂସା ଥମିବାର ନାଁ ଧରୁନି। ଜଣେ ନିର୍ଦ୍ଦିଷ୍ଟ ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ କରିବାରୁ ମଙ୍ଗଳବାର ରାତିରେ ପଞ୍ଚାୟତ ଅଧିନ ଜାମସାହି ବସ୍ତିର ଏକ ଘରେ ପଶି ୨ ଯୁବକଙ୍କୁ କାତିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କେ.ନୂଆଗାଁ ପୋଲିସ ବୁଧବାର ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛିି। ସେମାନେ ହେଲେ ବିଶ୍ୱନାଥ ନାଇକ, ତ୍ରିନାଥ ନାଇକ ଏବଂ ପ୍ରଫୁଲ୍ଲ ନାଇକ। ମାମଲା ନଂ. ୪୬/୨୨ ବିଭିନ୍ନ ଦଫା ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।
ମଙ୍ଗଳବାର ରାତିରେ ଏକ ନିର୍ଦ୍ଦିିଷ୍ଟ ଗୋଷ୍ଠୀର ୯ ଜଣ ବିଭିନ୍ନ ମାରଣାସ୍ତ୍ର ଧରି ଅପର ଗୋଷ୍ଠୀର ନରୋତ୍ତମ ନାଇକ ଓ ମୀନକେତନ ନାଇକଙ୍କୁ ଘର ବାରଣ୍ଡାରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଉଭୟେ ଜୀବନ ବିକଳରେ ଘରକୁ ଦୌଡିବାରୁ ସେମାନେ ଘରେ ପଶି କାତିରେ ଆକ୍ରମଣ କରିଥିଲେ। ଏପରି କି ଘରର ସ୍ତ୍ରୀ ଲୋକମାନଙ୍କୁ ମଧ୍ୟ ସେମାନେ ଅସଦାଚରଣ କରିବାକୁ ପଛାଇ ନ ଥିଲେ। ଖବରପାଇ ବିଳମ୍ବିତ ରାତିରେ କେ. ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ପୋଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ଗୁରୁତର ଆହତ ମୀନକେତନ ଓ ନରୋତ୍ତମଙ୍କୁ ପ୍ରଥମେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଓ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।