ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ ହେଲେ ଖଲ୍ଲିକୋଟର ତୋଫାନ ମହାରଣା ଏବଂ ପୁରୁଷୋତ୍ତମପୁରର ତିରୁପତି ଦୋରା।

ପୁରୁଷୋତ୍ତମପୁରେ ଗତ ୧୨ ତାରିଖରେ ଏନ୍‌ସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଭୋଟ ସରିଛି। ଅଧ୍ୟକ୍ଷାଙ୍କ ବିରୋଧରେ ୧୦ଟି ଭୋଟ ଯାଇଥିବା ବେଳେ ଏଥିରେ ଭାଜପାକୁ ସଫଳତା ମିଳିଛି। ଅଧ୍ୟକ୍ଷା ଏବଂ ତାଙ୍କ ସମର୍ଥିତ କାଉନସିଲର ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିବାକୁ ଏହାର ଶୁଣାଣି ସୋମବାର ରହିଛି।

ଶୁଣାଣି ପୂର୍ବରୁ ସହରରେ ରାଜନୈତିକ ହିଂସା ଆରମ୍ଭ ହୋଇ ପୁରୁଷୋତ୍ତମପୁରରେ ଖଣ୍ଡା ବୁଲିଛି। ଏନ୍‌ଏସିରେ ଦଳୀୟସ୍ଥିତି ପରଖିବା ସହ କର୍ମୀଙ୍କ ସହ ଆଲୋଚନା ଲାଗି ଭାଜପାର ପ୍ରତିନିଧି ଭାବେ ଖଲ୍ଲିକୋଟ ସ୍ବାସ୍ଥ୍ୟକଲୋନିର ତୋଫାନ ମହାରଣା ଆସି ପୁରୁଷୋତ୍ତମପୁରର ଭାଜପା କର୍ମୀ ସୁରେଶ ମହାନ୍ତିଙ୍କ ସହ ଆଲୋଚନା କରିଛନ୍ତି। ଏପରିକି ସେ ଶୋଇଥିବା ବେଳେ ହଟାତ ପୁରୁଷୋତ୍ତମପୁର ଅମୁଣିଆ ସାହିର କିଛି ଯୁବକଙ୍କ ସମେତ ଅନ୍ୟକିଛି ବ୍ୟକ୍ତି ମାରଣାସ୍ତ୍ର ଧରି ସୁରେଶଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରି ଦାଣ୍ଡକୁ ଘୋଷାଡି ଆଣି ମାରପିଟ୍‌ କରିଥିଲେ। ଫଳରେ ସେ ଆହାତ ହୋଇଛନ୍ତି।

ଏହିଘଟଣା ପ୍ରଘଟ ହେବା ପରେ ତୋଫାନଙ୍କ ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ସ ଘଟିଥିଲା। ଏଥିରେ ଅପର ଗୋଷ୍ଠୀର ତିରୁପତି ଦୋରା ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭିର୍ତ୍ତି କରାଯାଇଛି। ଏଥିନେଇ ତୋଫାନଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୬୦୬/୨୪) ରୁଜୁ କରି ଜଣଙ୍କୁ ଥାନାକୁ ଆଣି ପଚାରାଉଚରା କରୁଛି। ଅନ୍ୟପକ୍ଷେ ଅପରପକ୍ଷରୁ ଘଟଣାକୁ ନେଇ କୌଣସି ଅଭିଯୋଗ ହୋଇନାହିଁ ।

ଥାନା ଆଇଆଇସି ବିପିନ ବିହାରି ହୋତା ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଏହାକୁ ନେଇ ଭାଜପାର ଘମୁସର ଜିଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା ଘଟଣାକ ନିନ୍ଦା କରିବା ସହ ପ୍ରତିକ୍ରିଆ ପ୍ରକାଶ କରି କହିଛନ୍ତି ଯେ, ବିଜେଡି ଏନ୍‌ଏସି ଅଧ୍ୟକ୍ଷାପଦ ହରାଇବାକୁ ନେଇ ରକ୍ତମୁଖା ହୋଇପଡିଛି। କିଛି ଉପାୟ ନ ପାଇ ଭୋକ ବିକଳରେ ତାଟିଆ କାମୁଡ଼ିବା ଭଳି ଏପରି ଗୁଣ୍ଡାରାଜ କରି ଭାଜପା କର୍ମୀଙ୍କୁ ଭୟଭିତ କରାଯାଉଛି ବୋଲି କହିଛନ୍ତି।

Share